ଅନିମାର ପ୍ରଥମ ସାବିତ୍ରୀ ବ୍ରତ

ବାହାଘରକୁ ଦଶଦିନ ପୁରିବା ଆଗରୁ ସେମାନଙ୍କୁ ଅଲଗା ହେବାକୁ ପଡିଥିଲା। ଅତନୁ ଇଞ୍ଜିନିୟର ଆଉ ଅନିମା ଅଧ୍ୟାପିକା।ପିଲାମାନଙ୍କ ପରୀକ୍ଷା ଦାୟିତ୍ୱ ଅନିମାର ଥିବାରୁ ତାକୁ ଆସି କଲେଜରେ ଯୋଗ ଦେବାକୁ ହେଲା।ଅନିମାକୁ କଲେଜରେ ଛାଡି ଦେଇ ଅତନୁ ଫେରିଯାଇଥିଲେ ତାଙ୍କ କର୍ମଭୂମି ମହାରାଷ୍ଟ୍ର କୁ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିବା ଆଗରୁ ସମୟ ଆଉ କର୍ମ ଚାପରେ ଅଲଗା ହେବାକୁ ପଡ଼ିଥିଲା ସେମାନଙ୍କୁ। ବାହାଘର ପରେ ଅଲଗା ରହିବାର କଷ୍ଟ କେବଳ ଅନୁଭବି ମାନେ ହିଁ ବୁଝିପାରିବେ।
‎Arnnapurna Das‎

ଆଗକୁ ମଇ ମାସ କଲେଜରେ ଖରାଛୁଟି,
ଅନିମାର ପ୍ରଥମ ସାବିତ୍ରୀ ବ୍ରତ ।ତେଣୁ ଶାଶୁଙ୍କ ଆଦେଶ ସାବିତ୍ରୀ ବ୍ରତ ପରେ ସେ ତାଙ୍କ ପୁଅ ପାଖକୁ ଯାଇପାରିବ।
ଯଥା ସମୟରେ ତା' ଭାଇ ଭାର ଆଣି ଶାଶୁଘରେ ପହଞ୍ଚିଲା।ଭାଇକୁ ଶାଶୁଘରେ ଦେଖି ଅନିମା ଯେମିତି ଖୁସି ଥିଲା ତାହା ପ୍ରତ୍ୟେକ ଭଉଣୀ ମାନଙ୍କ ଅନୁଭବ।ଭାଇ କିନ୍ତୁ ଦେଖୁଥିଲା ତା ଭଉଣୀ ହାତର ଶଙ୍ଖା,ମଥାର ସିନ୍ଦୂର, ମୁଣ୍ଡର ଓଢ଼ଣା,ପାଦର ଅଳତା ଆଉ ଛମଛମ ପାଉଁଜିକୁ।ଅନିମା ପାଦ ଛୁଇଁ ପ୍ରଣାମ କଲା ତା ଭାଇ ତାକୁ ତୋଳିଧରିଲା ।ତା' ହୁଣ୍ଡି ଭଉଣୀ ଟାକୁ ବୋହୁ ବେଶରେ ଦେଖି ଭାରି ଖୁସି ସେ।
ମୁଣ୍ଡ ଆଉଁସି ଦେଇ କହିଲା-"ଅହି ସୁଲକ୍ଷଣି ହେଇଥା"। ତା' ଆଖିରେ ଥିଲା ଦି ଧାର ଛଳଛଳ
ଲୁହ ଆଉ ଓଠରେ ଧାରେ ହସ।
ଆଜି ସାବିତ୍ରୀ, ଶାଶୁଙ୍କ ନିର୍ଦ୍ଦେଶରେ ସୁନା ଆଉ ନୁଆ ଶାଢ଼ୀରେ ଅନିମା ସାଧବ ବୋହୁ ପରି ସଜେଇ ହେଇଛି।ଆଜି ସେ ଆଉ ଜଣେ ସାବିତ୍ରୀ।ସେ ଆଜି ଲୋଡିବ ତା' ସତ୍ୟବାନଙ୍କ ନିରାମୟ ଜୀବନ
ଓ ଲମ୍ବା ଆୟୁଷ।ପୂଜା ସରିବା ପରେ ଶାଶୁ କହିଲେ ଯା'ତାକୁ ଟିକିଏ ଭିଡିଓ କଲ କରି ପ୍ରଣାମ କରିଦେ।
ଅନିମା ମନରେ ସ୍ୱାମୀପାଇଁ ଭକ୍ତି ଅପେକ୍ଷା ଲାଜ ଥିଲା ଅଧିକ ।ସେ ହାତ ଯୋଡି ଆଶୀର୍ବାଦ କାମନା କଲା ।ଟିକିଏ ହସିଦେଲେ ଅତନୁ ହେଲେ ସେ ହସରେ ମାଦକତା ନଥିଲା।ଲାଗୁଥିଲା ମଣିଷ ଟି ଯେମିତି କୋଉ ଏକ ଅକୁହା ଯନ୍ତ୍ରଣାରେ ଛଟପଟ ହେଉଛି।
କଣ ହେଇଛି ତୁମର??ଅତନୁ କହିଲେ କିଛି ନାହିଁ।ଅନିମାର ମନ ମାନିଲାନି,କିଛି ତ ଗୋଟେ ହେଇଛି।ଅନିମା ବ୍ୟସ୍ତ ହେଇ ପଡୁଥିଲା ତାକୁ ସବୁ କେମିତି କେମିତି ଲାଗୁଥିଲା। ବହୁତ ସମୟ ପରେ ଅତନୁ କହିଲେ ବ୍ୟାଙ୍କରୁ ନୋଟିସ ଆସିଛି କାଲି
ଭିତରେ ମତେ ସେଟେଲମେଣ୍ଟ ବିଲ୍ ଦୁଇଲକ୍ଷ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ହେବ।ଏତିକି କହି ସେ ଦିର୍ଘ ନିଶ୍ୱାସ ଟିଏ ନେଲେ।ପୁଣି କହିଲେ ଯଦି ନହେଇ ପାରେ କାଲି କିଛି ବି ଘଟିଯାଇ ପାରେ,ଚାକିରୀ ଯିବାର ଭୟ ମତେ........ଆଉ ଅଧିକ କିଛି କହିପାରି ନଥିଲେ ଅତନୁ।
ଅନିମା ନିର୍ବାକ ହେଇଯାଇଥିଲା ।
ଶାଶୁ-ଶଶୁର ନିରବ। ଶାଶୁ କହିଲେ ମୋରି କିଡିନ୍ ଅପରେସନ ପାଇଁ ଲୋନ ନେଇ ମୋ ପୁଅ ହଇରାଣ ହଉଚି।ଅନିମା ବି ନିରୂପାୟ ଥିଲା କାରଣ ତା' ଚାକିରୀକୁ ମାସ ଚାରିଟା ପୂରି ଥିଲା।
ଆଉ କିଛି ଉପାୟ ନପାଇ ସେ ଖୋଲିଥିଲା ତା' ବେକର ହାର,କାନରୁ କାନଫୁଲ, ହାତରୁ ସୁନାଶଙ୍ଖା ଆଉ ମୁଦି।ସବୁ ଏକାଠି କରି ଦୈଡିଯାଇଥିଲା ବ୍ୟାଙ୍କକୁ।ସୁନାତକ ବନ୍ଧା ପକେଇ ଟଙ୍କା ଧରି ଫେରିବା ବେଳକୁ ମଇ ମାସର ଡହଡହ ଖରା ତା'ଛାଇକୁ ହଜେଇ ଦେଇ ଥିଲା।
ଆଉ ତାକୁ ଯେମିତି କେହିଜଣେ କହୁଥିଲା ସାବିତ୍ରୀ ଟିଏ ହେବା ଏତେ ସହଜ ନୁହେଁ ଲୋ ଝିଅ।ସାବିତ୍ରୀ ଟିଏ ହେବାକୁ ହେଲେ ଯେତେକ ସଉକ ଅଛି ତାକୁ ବାନ୍ଧି ବୁନ୍ଧି ଗଣ୍ଠିଲି କରି କୋଉ କୋଣରେ ଫିଙ୍ଗି ଦେବାକୁ ହୁଏ।ସମାଜର ଆଡ଼ଆଖିକୁ ଦେହରେ ଚନ୍ଦନ ପରି ନେସି ଦେବାକୁ ହୁଏ।ଆଉ ଶେଷରେ ଇଶ୍ଵର ଆଉ ସମୟ ସହ ଯୁଝିବାକୁ ହୁଏ।ଏତିକି କରି ପାରିଲେ ତୁ ସିନା ପାଲଟିବୁ ସାବିତ୍ରୀ।
ଅନ୍ନପୂର୍ଣ୍ଣା ଦାସ

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post