◆◆◆ କରୋନା : କେତୋଟି ସ୍କେଚ୍ ◆◆◆

          **** ରୋଜାଲିନି ମିଶ୍ର ****

                                 (  ୧  )

               ଏକ ଶନିବାରିଆ ସକାଳର ଦୃଶ୍ୟ। ସୋରିଷ ତେଲରେ ସେକା ହୋଇଥିବା ରୁଟିଟିଏ ଧରି ରାସ୍ତାକୁ ଆସିଲେ କେଦାର ବାବୁ।ଚାରି ଆଡକୁ ଆଖି ବୁଲେଇଲେ। କରୋନା ପାଇଁ ଚାରିଆଡେ ଶୁନଶାନ। କୋଉଠି ଥିଲା କେଜାଣି ଧାଇଁ ଆସିଲା ଆଠ କି ଦଶ ବର୍ଷର ଛୋଟ ପିଲାଟିଏ । ରୁଟିଟିକୁ ଲୋଭିଲା ଆଖିରେ ଚାହିଁ କହିଲା ,  ବାବୁ ବହୁତ ଭୋକ ଲାଗୁଛି ମୋତେ।କରୋନା ପାଇଁ ମୋ ମା' କୁ କିଛି କାମ ମିଳୁନି। ଦି ଦିନ ହେଲାଣି କିଛି ଖାଇନି ମୁଁ। ମୋତେ କିଛି ଖାଇବାକୁ ଦିଅନ୍ତୁ  କହି ରୁଟିଟି ଆଡେ ହାତ ବଢ଼େଇଲା ପିଲାଟି। ଦୁର୍ ଦୁର୍ କହି ଘଉଡ଼ାଇ ଦେଲେ ପିଲାଟାକୁ କେଦାରବାବୁ। କିଛି ଦୂରରେ କାଳିଆ କୁକୁରଟିଏ ଖାଉଥିଲା କେହି ଜଣେ କୁଢେଇ ଦେଇଥିବା ବାସିଭାତ ଗଣ୍ଡାଏ । ଚୁ ...ଚୁ .... ଡାକିବାରୁ ଧାଇଁ ଆସିଲା କୁକୁରଟି। ରୁଟିଟିକୁ କୁକୁର ଆଗରେ ଫିଙ୍ଗିଦେଲେ କେଦାର ବାବୁ ତାଙ୍କ ଶନିଦଶା କଟିବା ଉଦ୍ଦେଶ୍ୟରେ।

                               (   ୨   )

               ତା ପଇସା ଘଡିକୁ ଭାଙ୍ଗି କଏନ ଆଉ ନୋଟ ସବୁକୁ ଅଲଗା ଅଲଗା ଗଣି ରଖିଲା ଜଗୁନି। ମୋଟ୍ ୨୮୫୨ ଟଙ୍କା । ଗୋଟେ ପଲିଥିନ ମୁଣାରେ ପଇସାକୁ ପୁରେଇ ଜଗୁନି ଅପେକ୍ଷା କଲା ତା ବାପାକୁ। ବାପା ଆଉ କିଛି ପଇସା ଦେଲେ ସେ ଶୁକୁଟା ଦା' ପାଖରୁ ସେକଣ୍ଡ ହ୍ୟାଣ୍ଡ ମୋବାଇଲଟିଏ କିଣି ପାରନ୍ତା। କରୋନା ଲକ୍ ଡାଉନ୍  ପାଇଁ ସ୍କୁଲ ଟିଉସନ ସବୁ ବନ୍ଦ। ସ୍କୁଲରେ ଅନଲାଇନ କ୍ଲାସ ଆରମ୍ଭ ହୋଇଗଲାଣି ପନ୍ଦର ଦିନ ହେବ। କିନ୍ତୁ ମୋବାଇଲଟେ ନାହିଁ ବୋଲି କିଛି ପଢି ପାରୁନି ସେ। 
                  ବାପା ଆସିଲେ ଘର ପାଇଁ କିଛି ସଉଦା ପତ୍ର ଧରି ଆଉ ବୋଉ ହାତକୁ ବଢ଼େଇ ଦେଲେ। ବୋଉ ପଚାରିଲା , 
     ___ ଆଉ ତୁମ ଔଷଧ ଆଣିଲନି କି ?
    ___  ନା... ପଇସା ଅଣ୍ଟିଲାନି। ଦୋକାନୀ ଏ ମାସରେ ବାକିରେ ସଉଦା ଦେବା ପାଇଁ ମନା କରିଦେଲା। ଗଲା ମାସର ବାକି ପଇସାଟା ବି ମାଗିଲା। ମୋ ଔଷଧ ପଇସାରେ ଘର ପାଇଁ ସଉଦା ନେଇ ଆସିଲି ଆଉ ତା ବାକି ବି ସୁଝିଦେଲି।
  ___ କିନ୍ତୁ ବିନା ଔଷଧରେ ତୁମେ .....
   ___ ହସି ଉଠିଲା ଜଗୁ ବାପା..... କହିଲା .... ମରିବି ତ ମୁଁ ନିଶ୍ଚୟ ଜଗୁବୋଉ। ଭୋକକୁ ଜଗିଲେ ରୋଗରେ ମରିବି ଆଉ ରୋଗକୁ ଜଗିଲେ ଭୋକରେ ମରିବି।
              ପଲିଥିନ ମୁଣାରେ ରଖିଥିବା ପଇସାକୁ ନେଇ ଚୁପଚାପ ଜଗୁନି ବାହାରି ଗଲା ଔଷଧ ଦୋକାନ ଆଡେ ବାପାର ପ୍ରେସକ୍ରିପସନ ଟାକୁ ପକେଟରେ ପୁରେଇ।

                               (  ୩ )
  
               ଆଲୋ ସାବିତ୍ରୀ ଅମାବାସ୍ୟା ଆଉ ଦିନ ଆଠଟା ରହିଲା । ତୋ ବୋପା ଆଉ କେବେ ଭାର ନେଇକି ଆସିବ ବା...।
   ____ କିନ୍ତୁ ବୋଉ ..... ଏ ଲକ୍ ଡାଉନ୍ ଟାଇମରେ....

   ____ କି ଲଅକ ଡାଉନୁ ବା ...ଲୋକ ଚାଲି ଚାଲି କୋଷ କୋଷ ବାଟ ଚାଲି ଯାଉଛନ୍ତି ଆଉ ତୋ ବୋପାକୁ ଏଇ ପନ୍ଦର କୋଡିଏ କିଲୋମିଟର ଭିତରେ କରୋନା ଖାଇ ଯାଉଛି ....।ନୂଆ ସାବିତ୍ରୀଟା ଏ ବର୍ଷ .... ମୁଁ ଆଉ ଏ ସାହି ଭାଇଙ୍କୁ ମୁଁହ ଦେଖେଇବି ଟି ??
   ____ ନାଇଁ ବୋଉ ....ବାପା ଭାର ନେଇ ଆସି ସାରନ୍ତେଣି।ଚାରି ଦିନ ହେଲାଣି ବାପାଙ୍କୁ ପ୍ରବଳ ଥଣ୍ଡା ଆଉ ଜର। କାଲି ପହରଦିନ ଆଡକୁ ଆସିବେ ବୋଧେ।
  ____ ଏଁ ..... ଥଣ୍ଡା ଜର  !!! ଥାଉ ଥାଉ ତୁ ମନା କରି ଦେ ତୁମ ଘରେ।ତୋ ବାପା ଭାର ନେଇ ଆସିବା ଦରକାର ନାହିଁ ଏବେ ଆମ ଘରକୁ।
   ___ କିନ୍ତୁ ବୋଉ .... ନୂଆ ସାବିତ୍ରୀଟା ....
  ___ ସେ କଥା ମୁଁ ବୁଝିବି। ତୁ ମୁଣ୍ଡ ପୁରେଇବା ଦରକାର ନାହିଁ।ଘରକୁ ଫୋନ କରି ଜଲଦି ମନା କର।

                                 ( ୪ )
             ଏ କିଛି ଦିନ ହେବ ବହୁତ ଖୁସିରେ ଅଛି କାନ୍ତାବାଈ। ରାତି ପାହିଲେ ମାଲିକାଣୀ ତା ଉପରେ ଗଜର ଗଜର ହେଉଛି ଯେ ରାତି ହେବା ଯାଏ।କରୋନା ପାଇଁ ରୋଜଗାର ପୁରା ଠପ୍ ।ସେଥିପାଇଁ ତାକୁ କେବଳ ଦିନରେ ବେଳାଏ ଖାଇବାକୁ ମିଳୁଛି ଏବେ ଆଉ ରାତିରେ ବିସ୍କୁଟ ଦି ଖଣ୍ଡ ଖାଇ ପାଣିପିଇ ଶୋଇ ଯିବାକୁ ପଡୁଛି। ତଥାପି ଖୁସି ଅଛି କାନ୍ତାବାଈ। ତାକୁ ଲାଗୁଛି ଯେମିତି ତାର ସେ ପୁରୁଣା ସରଳ ନିଷ୍ପାପ ଦିନ ଗୁଡ଼ାକ ପୁଣି ଫେରି ଆସିଛି ତା ପାଖକୁ ଆଉଥରେ ।ନିଜର ଅନିଚ୍ଛା ସତ୍ତ୍ୱେ ମାଲିକାଣୀ ନିର୍ଦ୍ଦେଶରେ ଗରାଖ ପାଇଁ ନିଜକୁ ସବୁଦିନେ ସଜାଉଥିବା କାନ୍ତାବାଈ ଆଜି ନିଜ ଇଚ୍ଛାରେ ନିଜକୁ ଖୁବ ସଜାଉଛି କେବଳ ନିଜ ପାଇଁ।

                                ( ୫ )
        ଗୋଟିଏ ବଡ଼ ଆମ୍ବଗଛ ତଳେ ଥିଲା ବାଲିଗଦାଟିଏ।ମଙ୍ଗୁ ସେଠି ସବୁଦିନେ ଖେଳେ ତାର କିଛି ଖେଳସାଥୀଙ୍କୁ ଧରି। ପିଲାମାନେ ବାଲି ଉପରେ ଡିଆଁଡେ଼ଇଁ କରନ୍ତି ଆଉ ନିଜନିଜ ଭିତରେ ବାଲି ଛଟାଛଟି ହୁଅନ୍ତି। ପିଲା ମାନଙ୍କର ଖେଳକୁଦ ଦେଖି ଖୁବ୍ ଖୁସି ହୁଏ ଆମ୍ବଗଛରେ ବସାବାନ୍ଧି ରହିଥିବା ଶାରୀ ଛୁଆଟିଏ। ମା' ପାଖରେ ଅଳିକରେ ତାକୁ ଟିକେ ତଳକୁ ଛାଡିବା ପାଇଁ। । ସେ ବି ଟିକେ ସେ ବାଲିଗଦା ଉପରେ ଡିଅଁନ୍ତା । ଖଣ୍ଡିଉଡା ଦେଇ ପୋକଜୋକ ଖୁଣ୍ଟନ୍ତା ଭୂଇଁ ଉପରୁ । ପିଲାଗୁଡ଼ାକଙ୍କ ପରି ସେ ବି ବାଲିକୁ ଏଣେତେଣେ ଛାଟନ୍ତା ତା କୁନିକୁନି ଥଣ୍ଟ ଆଉ ଗୋଡ଼ ସାହାଯ୍ୟରେ।କିନ୍ତୁ ମା' ଶାରୀ ଡରିଯାଇ ମନାକରେ।ଥଣ୍ଟରେ ଠେଲି ଠେଲି ତା ଛୁଆକୁ ନେଇ ଲୁଚେଇ ଦିଏ ଆମ୍ବଗଛର ପତ୍ର ଉହାଡ଼ ଭିତରେ। ମା' ଶାରୀଟି ଭାବେ ଖଣ୍ଡିଉଡା ଦେଉଥିବା ତାର ଛୁଆ ଯଦି ଏବେ ତଳକୁ ଯିବ ତାହେଲେ ଏ ମଙ୍ଗୁ କ'ଣ ତାକୁ ଆଉ ଛାଡିବ ?ସିଧା ଧରିନେଇ ପଞ୍ଜୁରୀ ଭିତରେ ପୁରେଇଦେବ। 
                    ଏବେ କରୋନା ଲକ୍ ଡାଉନ୍ ପାଇଁ ସବୁଆଡ ଜନମାନବ ଶୂନ୍ୟ।ସବୁଆଡେ ଖାଁ ଖାଁ ନିରବତାର ରାଜୁତି।ଏଇ ମଉକାରେ ଗଛରୁ ତଳକୁ ଓହ୍ଲେଇ ପଡିଲେ ମା' ଆଉ ଛୁଆ ଶାରୀ ଦି ଜଣ। ଖୁବ୍ ମଜା କରି ଖେଳିଲେ ଦୁହେଁ ବାଲିଗଦା ଉପରେ। ମଙ୍ଗୁ ଘର ଭିତରୁ ସେମାନଙ୍କୁ ଦେଖୁଥିଲା ଝରକାର ରେଲିଂ ପାଖରେ ଠିଆ ହୋଇ।

                              ( ୬ )
                କରୋନା ପେସେଣ୍ଟ ମାନଙ୍କ ପାଖରେ ଡ୍ୟୁଟି ସାରି ଘରକୁ ଫେରିଲେ  ଡ଼. ସୁମିତ୍ରା।  ଦିନଯାକ ମରିବା ପାଇଁ ବି ସମୟ ନାହିଁ। ପେସେଣ୍ଟ ମାନଙ୍କ ଖାଇବା, ପିଇବା, ଔଷଧ, ରକ୍ତ ନମୁନା ସଂଗ୍ରହ ଆଦି କାମରେ ସମୟ କୁଆଡେ ଯାଉଛି ଜଣା ପଡୁନି କିଛି। ନିଜ ପେଟକୁ ଶାନ୍ତିରେ ଗଣ୍ଡେ ଖାଇ ବି ହେଉନି।
                    ରାତି ୮ ଟାରେ ଘରେ ପହଞ୍ଚି ଭଲରେ ଗାଧୁଆ ପାଧୁଆ ସାରି ସୁମିତ୍ରା ଖୋଜିଲେ ତାଙ୍କ ୩ ବର୍ଷର ଝିଅକୁ।ଆୟା କହିଲା , " ମା' ... ଝିଅ ଶୋଇ ପଡିଛି କାନ୍ଦି କାନ୍ଦି।ଆପଣ ଡ୍ୟୁଟି ଗଲା ପରଠାରୁ କିଛି ବି ଖାଇନି ଆଉ।ଖରାବେଳେ ଜିଦ ଧରିଲା ଯେ ମାମା କୁ ନଦେଖିଲେ ଖାଇବିନି।ସେଥିପାଇଁ ଆଜି ମୁଁ ଆପଣଙ୍କୁ ତିନିଥର ଭିଡ଼ିଓ କଲ କରିଛି ହେଲେ ଆପଣ ବ୍ୟସ୍ତ ଥିଲେ ବୋଧେ ରିସିଭ କଲେନି।
            ମୋବାଇଲ କାଢି ଦେଖିଲେ ସୁମିତ୍ରା। ହଁ ...ତ ..ତିନିଟା ମିସଡ଼ କଲ ଅଛି। ବ୍ୟସ୍ତତା ଭିତରେ ଜାଣି ପାରି ନାହାନ୍ତି ସେ। ଆଖିରେ ଲୁହ ଜକେଇ ଆସିଲା ତାଙ୍କର ଦିନଯାକ ଭୋକରେ ଥିବା ନିରୀହ ଛୁଆଟି ପାଇଁ। ମନର କୋହକୁ ମନରେ ମାରି ସୁମିତ୍ରା ଗଲେ ଝିଅକୁ ନିଦରୁ ଉଠେଇ ନିଜ ହାତରେ କିଛି ଖୁଆଇଦେବା ପାଇଁ।

                                ( ୭ )

         ମନୁଆ ଚାଲି ଚାଲି ଫେରୁଛି ଗାଁକୁ। ଗାଁ ଆଉ ଅଳ୍ପ ବାଟ।ଗୁଡାଏ ଦିନ ହେଲାଣି ଚାଲୁଛି ସେ।ଅଧା ବାଟରେ ତା ଖାଇବା ସରି ଯାଇଥିଲା ତଥାପି ସେ ଢୋକେ ପିଇ ଦଣ୍ଡେ ଜିଇଁ ନୀତିରେ ଏତେ ବାଟ ଚାଲି ଆସିଲା କେବଳ ଗାଁ ମାଟିର ମୋହରେ। ଏବେ ତାକୁ ଦିଶିଲାଣି ତା ଗାଁ ମନ୍ଦିରର ଚୂଡ଼ା।' ହେ ରାଧାମାଧବ' କହି ଭୂଇଁ ଉପରେ ସାଷ୍ଟାଙ୍ଗ ପ୍ରଣିପାତଟିଏ କଲା ମନୁଆ। ତା ଦେହର ଥକ୍କାପଣ ମେଣ୍ଟିଗଲା ପରି ଲାଗିଲା ତାକୁ।ଜୋର ଜୋରରେ ପାଦ ପକେଇ ସେ ଗାଁ ମୁଁହା ହେଲା।ମନରେ କେତେ ସ୍ୱପ୍ନ, କେତେ ଆଶା, କେତେ ଖୁସି ତାର। ସେ ଘରେ ପହଞ୍ଚିବ ... ତା ପିଲାମାନେ ତାକୁ ଏତେ ଦିନ ପରେ ଦେଖି ବାପା ବାପା କହି କୁଣ୍ଢେଇ ପକେଇବେ। ତା ସ୍ତ୍ରୀ କେତେ ଖୁସି ହେବ ତାକୁ ଦେଖି ... ଆଉ ବାଢିଦେବ କଂସାଏ ପଖାଳ ସହ ବଡିଚୁରା ଆଉ ଶୁଖୁଆ ପୋଡା ଦି ଟା ।ଆଃ...କି ଶାନ୍ତି ....! !
                 ଗାଁ ଦାଣ୍ଡରେ ପହଞ୍ଚି ସାରିଥିଲା ମନୁଆ।କିନ୍ତୁ ତାର ସ୍ବପ୍ନ ସବୁ ଚୁରମାର ହୋଇଗଲା ଯେତେବେଳେ ଗାଁ ଲୋକେ ତାକୁ ଗାଁ ଭିତରେ ପଶିବାକୁ ବାରଣ କଲେ ଆଉ ଖବର କରିଦେଲେ ପୋଲିସ କୁ ।ପୋଲିସ ଆସି ନେଇଗଲେ ମନୁଆକୁ କ୍ୱାରେଣ୍ଟାଇନ ସେଣ୍ଟରକୁ। ମନୁଆର ଖୁସି, ସ୍ୱପ୍ନ , ସ୍ତ୍ରୀ, ପିଲା , ସଂସାର ପୁଣି ଠେଲି ହେଇଗଲେ ପଛକୁ।
                                ( ୮ )

            ରାସ୍ତାର ଏ ପାଖ ଆଉ ସେପାଖ। ଏ ପାଖରେ ସୁଲଗ୍ନାର ଦ୍ବିତଳ ପ୍ରାସାଦ ଆଉ ସେ ପାଖରେ ରୁପାର ଭଙ୍ଗା ଆଜବେଷ୍ଟସ ପକା ଘର।ଲକ୍ ଡାଉନ୍ ର ଟାଇମ୍।ଯିଏ ଯାହା ଘରେ ବନ୍ଦୀ।ଏ ପଟେ ଘରର ବାଲକୋନିରେ ବସି  ୟୁଟ୍ୟୁବ୍ ରୁ ବିଭିନ୍ନ ପ୍ରକାରର ରେସିପି ଦେଖୁଥିଲା ସୁଲଗ୍ନା। ନୂଆ ନୂଆ ପ୍ରକାରର ଡିସ୍ ବନେଇ ସ୍ୱାମୀ ପୁଅଙ୍କ ସହ ମିଶି ଖାଇବାର ମଜା ବହୁତ ଦିନ ପରେ ମିଳିଛି ତାକୁ। ଆଉ ସେପଟେ ରୁପା ତା ଭଙ୍ଗା ଆଜବେଷ୍ଟସ ଘରେ କିଛି ଚାଉଳକୁ ମାପିକି ରଖୁଥିଲା ଗୋଟେ ଛୋଟ କପ୍ ସାହାଯ୍ୟରେ ଆଉ ଭାବୁଥିଲା କାଲି ଏତିକି ଚାଉଳର ଭାତ ତା ପିଲା ଆଉ ସ୍ୱାମୀଙ୍କ ପେଟକୁ ଅଣ୍ଟିବ କି ନାହିଁ।  

                                    ରୋଜାଲିନି ମିଶ୍ର
                                   ଭି ଏସ ଏସ ନଗର

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post