କରୋନା ଆଜି ଭାଗବାଣ୍ଟ କରିଦେଇଛି ଦୁନିଆକୁ ଦୁଇଭାଗରେ....
କରୋନା ପଜିଟିଭ୍ ଓ କରୋନା ନେଗେଟିଭ।
     ଶଙ୍କର ବାବୁ ବଡ଼ ବିକଳ ହୋଇ ଅନାଇଥିଲେ ବନ୍ଦ ହୋଇଥିବା କବାଟ କୁ।
ଛୋଟିଆ ବଖୁରିଏ ଘର ଭିତରେ ସେ ଆଜି ସମ୍ପୂର୍ଣ୍ଣ ଏକୁଟିଆ।କେତେବେଳେ କବାଟ ବାହାରେ କାହାର ପାଦ ଶବ୍ଦ ଶୁଭିବ ଆଉ କବାଟ ଖୋଲିବ;ବାସ ,ସେଇ ମୁହୂର୍ତ୍ତକୁ ଏବେ ଅନେଇ ବସୁଛନ୍ତି ସେ।
ଦିନରେ ଚାରିଥର ଖୋଲୁଛି ସେ କବାଟ ଓ ପୁଣି ବନ୍ଦ ହୋଇଯାଉଛି।
ଚାକର ବା କାମବାଲୀ ଖାଇବା ଜିନିଷ କିଛି ଦୟା ଦେଖାଇଲା ଭଳି କାଗଜ ପ୍ଲେଟରେ ଥୋଇ ,ଘର ଭିତରକୁ ଠେଲି ଦେଇ ପୁଣି ବାହାରୁ କବାଟ ବନ୍ଦ କରି ଚାଲିଯାଉଛନ୍ତି।
   ନିଜର ପାଞ୍ଚମହଲା ବିରାଟ ଘର'ର ତଳ ମହଲାରେ ଶଙ୍କର ବାବୁ  ରୁହନ୍ତି ନିଜ ପରିବାର ସହିତ।ପତ୍ନୀଙ୍କ ବିୟୋଗ ପରେ,ଦୁଇ ପୁଅ ବୋହୁ ନାତି ନାତୁଣୀଙ୍କ ସହ ଭରପୁର ପରିବାର।ଉପର ଚାରି ମହଲାରେ ଷାଠିଏଟି ରୁମ ପିଲାଙ୍କ ପାଇଁ ହଷ୍ଟେଲ।ପ୍ରତି ରୁମରେ ଚାରି ପିଲା ରୁହନ୍ତି।ପ୍ରଚୁର ପଇସା ଭଡ଼ାରେ ଆସେ। 
ପାଞ୍ଚ ମହଲା ଉପରେ ଗୋଟେ ବଖୁରିଆ ଆଜବେଷ୍ଟସ ରୁମ ଆଳିମାଳିକା ଜିନିଷ ରଖିବା ପାଇଁ ଥିଲା।ଏବେ ସେଇ ରୁମରେ ରହୁଛନ୍ତି ଶଙ୍କର ବାବୁ।
ତିନି ଦିନ ଜର,କାଶ ନକମିଲା ପରେ ଶଙ୍କର ବାବୁଙ୍କର  କରୋନା ଟେଷ୍ଟ ପାଇଁ ସାମ୍ପଲ ଗଲା ପରେ ଏଇ ଅବସ୍ଥା ତାଙ୍କର।
ବନ୍ଦୀ ର ଜୀବନ ଏବେ ତାଙ୍କ ପାଇଁ।ଅଘୋଷିତ କାରାବାସ,ନିଜ ଘରେ;ବିନା ଦଣ୍ଡରେ ଦଣ୍ଡିତ ଭଳି ଲାଗୁଛି ତାଙ୍କୁ।
ଆଖି ପୋଛିଲେ ଶଙ୍କର ବାବୁ।କାଚ
ଝରକା ଦେଇ ବାହାରକୁ ଅନାଇଲେ।
      ନିଜର ଏଇ ପୁରୁଣା ସହର ଆଜି ତାଙ୍କୁ ଅପରିଚିତ ଲାଗୁଥିଲା।
କରୋନା ଆଜି ବାଣ୍ଟି ଦେଇଛି ସମସ୍ତଙ୍କୁ ଯେମିତି; ମଣିଷ ଓ ଅମଣିଷ ଭାବେ।
ପିଲାମାନେ କେହି ପାଖକୁ ଆସୁନାହାନ୍ତି କି କଥା ବି ହେଉ ନାହାନ୍ତି।
ସେଦିନ ଦୁଇ ପୁଅଙ୍କ କଥା ତାଙ୍କ କାନରେ ପଡ଼ିଥିଲା,
- ଦୁଇ ଦୁଇ ମହଲା ଆମେ ଦୁହେଁ ବାଣ୍ଟିନେବା।ମୁଁ ଭାବୁଛି ଗୋଟେ ଉଇଲ କରି ବାପାଙ୍କ ଦସ୍ତଖତ ନେଇ ଯିବା।"
- ତାଙ୍କୁ ନିଶ୍ଚେ କରୋନା ହୋଇଥିବ।ଷ୍ଟାମ୍ପ ପେପର ନେଇ କିଏ ତାଙ୍କ ପାଖକୁ ଯିବ ?"
- କାମବାଲୀ ରାଧା ନହେଲେ ଡ୍ରାଇଭର କି ବୋଲହାକ କରୁଥିବା ମୋହନ କୁ ପଠାଇ ଦେବା।"
-ବାପା କଣ ଭଲ ହେବେନି ?"
- କିଡନୀ ପାଇଁ ଡାଇଲିସିସ ଓ କ୍ୟାନ୍ସର ପେସେଣ୍ଟ ,କରୋନା ଆକ୍ରାନ୍ତ ହେଲେ କଣ ବଞ୍ଚୁଛନ୍ତି ?"
    ପୁଅ ଦୁହିଁଙ୍କ କଥା ଶୁଣି ସେଦିନ ଯେମିତି ମରିଯାଇଥିଲେ ଶଙ୍କର ବାବୁ।କ୍ୟାନ୍ସର କୁ ହରାଇ ସେ ପୁର୍ନଜନ୍ମ ପାଇଛନ୍ତି ବୋଲି ଭାବୁଥିଲେ ।ହେଲେ ନା.....କରୋନାରେ ମରିଯିବା ଭଲ।କାନ୍ଦୁଥିଲେ ଶଙ୍କର ବାବୁ।
     ପଜିଟିଭ୍ ରିପୋର୍ଟ ଆସିଲା ପରେ ସ୍ବାସ୍ଥ୍ୟକର୍ମୀ ଆସି ପଚାରିଥିଲେ ପୁଅ ମାନଙ୍କୁ,
- ଆପଣଙ୍କ ପେସେଣ୍ଟ ,କୋଭିଡ଼ ହସ୍ପିଟାଲ ଯିବେ ନା ହୋମ କ୍ବାରେଣ୍ଟାଇନ ରେ ରହିବେ ?କାରଣ ଏବେ କୋଭିଡ଼ ହସ୍ପିଟାଲରେ ବେଡ଼ ନାହିଁ।କେବଳ ଅତି ଗୁରୁତର ରୋଗୀଙ୍କୁ ହିଁ ନିଆ ଯାଉଛି।"
ସାନ ପୁଅ ଚଟ କିଣା କହିଲା,
-ନା,ନା ତାଙ୍କ ସେବା ଏଠି କିଏ କରିବ ?ଆମ ସମସ୍ତଙ୍କୁ କରୋନା ହୋଇଯିବ ।"
  ଆମ୍ବୁଲାନ୍ସ ରେ ପଶି ହସ୍ପିଟାଲ ଗଲା ପୂର୍ବରୁ ଶେଷଥର ପାଇଁ ନିଜ ପରିବାର ଓ ବିରାଟ ଘରଟିକୁ ଆଖି ପୁରାଇ ଦେଖିନେଲେ ଶଙ୍କର ବାବୁ।
ବଡ଼ ପୁଅ,ସାନ ପୁଅକୁ କହୁଥିଲା,
- ବାପାଙ୍କ ଟିପ ଚିହ୍ନଟା ଷ୍ଟାମ୍ପ କାଗଜରେ ନେଇ ଯାଉନୁ ?"
- କିଛି ଦରକାର ନାହିଁ।କେତେଦିନ କି ଆଉ ?କ୍ରିୟାକର୍ମ ବି ସରକାର କରିବେ।ଆମେ ଆରାମରେ ଭାଗବଣ୍ଟା କରିପାରିବା।'
    ଆମ୍ବୁଲାନ୍ସ ଡ୍ରାଇଭର କୁ ପୁଅ ପଚାରୁଥିଲା,
-ଆମକୁ ତ ରୋଗୀ ପାଖକୁ ହସ୍ପିଟାଲ ଯିବାକୁ ମନା।ଖବର କେମିତି ପାଇବୁ ?ଏସ ଏମ ଏସ ଆସିବ ନା ଆମକୁ ଫୋନ କରିବେ ହସ୍ପିଟାଲବାଲା ?"
ଶଙ୍କର ବାବୁ ଦେଖୁଥିଲେ ଦୁଇ ନିର୍ଲଜ ପୁଅଙ୍କୁ।
   ପରିବାର ଲୋକେ ଅନାଇଥିଲେ ଶଙ୍କର ବାବୁଙ୍କ ଖବରକୁ।
   ସରକାରୀ ଗାଡିଟି ଆସି ଘର ସାମ୍ନାରେ ରହିଲା।ଗାଡ଼ିରୁ ଦୁଇଜଣ କିଏ ଓଲ୍ହାଇଲେ।
   ଗେଟ ପାଖକୁ ଦୌଡ଼ିଗଲେ ଦୁଇ ପୁଅ।କିଛି  କଥାବାର୍ତ୍ତା ହେଲା ପରେ ଆରମ୍ଭ ହୋଇଗଲା କାନ୍ଦ ବୋବାଳି।ଉଚ୍ଚ ସ୍ୱରରେ ସମ୍ପୂର୍ଣ୍ଣ ପରିବାର କାନ୍ଦୁଥିଲେ।
 ଆସିଥିବା ସରକାରୀ ବାବୁମାନେ ବିଦାୟ ନେଲା ପୂର୍ବରୁ ପଡୋଶୀ ମାନେ ପାଖକୁ ଆସି ପଚାରିଲେ ,
-ବୁଢ଼ା, କରୋନାର ଚାଲିଗଲା କି ?"
ସରକାରୀ ବାବୁ କହିଲେ,
- ନା,ପ୍ଲାଜମା ଥେରାପି ଓ ନୂଆ ଔଷଧ ଯୋଗୁଁ, ଶଙ୍କର ବାବୁ କରୋନାକୁ ହରାଇ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି।ଏକଦମ ମିରାକଲ।'
-ତା ହେଲେ ,ତାଙ୍କ ପରିବାର ଲୋକେ କାହିଁକି କାନ୍ଦୁଛନ୍ତି ?"
ଧୀର ସ୍ୱରରେ ବାବୁ ଜଣଙ୍କ କହିଲେ,
- ନିଜର ଏଇ ଘରଟିକୁ ଶଙ୍କର ବାବୁ ମାଗଣାରେ, ସରକାରଙ୍କୁ କୋଭିଡ଼ ଆଇସୋଲେସନ ସେଣ୍ଟର କିମ୍ବା କୋଭିଡ଼ ହସ୍ପିଟାଲ ବନାଇବା ପାଇଁ ଦାନ କରିଛନ୍ତି।ଏବେ ତାଙ୍କ ଦାୟିତ୍ୱ ସରକାରଙ୍କ ନେବେ।ତାଙ୍କ ପିଲାମାନଙ୍କୁ ସାତ ଦିନ ଭିତରେ ଘର ଖାଲି କରିବାକୁ ଆମେ ନୋଟିସ ଦେବାକୁ ଆସିଥିଲୁ।"🌹

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post