କାନଫୁଲ
By: Seetaram Dash

ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ତାନିଆ ସହ ମୁଁ ଖୁଵ୍ ହସମଜା କରୁଥାଏ। ଅଲଗା ଅଲଗା ସହରରେ ଚାକିରୀ, ତେଣୁ କେହି କାହାକୁ ସମୟ ଦେଇ ପାରୁନୁ। ଯେବେ ବି ସମୟ ମିଳେ ବ୍ୟକ୍ତିଗତ ଏବଂ ପାରିବାରିକ ସମସ୍ତ ସମସ୍ୟା କୁ ପଛରେ ପକାଇ ଆମେ ହଜିଯାଉ ନୂଆ ଏକ ଅଜଣା ଦୁନିଆରେ। ବାହାଘର ସାତ ବର୍ଷ ପରେ ବି ଆମେ ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକା ହୋଇ ବଞ୍ଚୁଥିଲୁ ଜୀବନର ପ୍ରତିଟି ମୁହୂର୍ତ୍ତ।

ଜଣେ ବୟସ୍କ ବ୍ୟକ୍ତି ତାନିଆକୁ ଏକ ଲୟରେ ଲକ୍ଷ୍ୟ କରୁଥାନ୍ତି। ବୟସ ପଞ୍ଚାବନ କି ଛପନ ପାଖାପାଖି ହେବ। ଏକ ପୁରୁଣା ଲୁଙ୍ଗି ସାଥିରେ ମଇଳା ସାର୍ଟ ଖଣ୍ଡେ ପିନ୍ଧିଥାନ୍ତି। ମୁହଁରେ ପୁଳାଏ ଅଧା ପାଚିଲା ଦାଢ଼ି। ମୁଁ ତାନିଆକୁ ଧୀରେ କରି କହିଲି, "ଜାନୁ, ତମେ ଏତେ ସୁନ୍ଦର ଯେ, ଟୋକାଙ୍କ କଥା ଛାଡ, ବୁଢା ବି ତମକୁ ଲାଇନ ମାରିଲେଣି"। ସେ ବିରକ୍ତ ହୋଇ କହିଲା, "ତମର ସବୁବେଳେ ଖାଲି ବାଜେ କଥା। ନିଜେ ତ ସେମିତି, ସେଥିପାଇଁ ସମସ୍ତଙ୍କୁ ସେମିତି ଭାବୁଛ।" ମୁଁ କହିଲି, "ହଉ ବାବା ହେଲା। ମୁଁ ଖରାପ, ଆଉ ସମସ୍ତେ ଭଲ"। ସେ ବ୍ୟକ୍ତି ଜଣକ ସେମିତି ଚାହିଁ ରହିଥାନ୍ତି ତାନିଆକୁ। କିଛି ସମୟ ନୀରବ ରହି ସେ ବ୍ୟକ୍ତିଙ୍କୁ ପଚାରିଲି, "ମଉସା, କଣ ଖାଇ ସାରିଲେଣି?" ଟିକେ ସାହସ ପାଇ ସେ ଆମ ପାଖରେ ବସି ପଡ଼ିଲା। ତାନିଆ ଭାବିଲା, ମୁଁ ତାକୁ ବିରକ୍ତ କରିବା ପାଇଁ ଏପରି କରୁଛି। ସେ ତଳକୁ ମୁହଁ କରି ଧିରେ କହିଲା, "ତମକୁ ପାରି ହେବନି"। ମୁଁ କଥାର ମୋଡ଼ ବଦଳାଇବା ପାଇଁ ଅନ୍ୟ ଆଡେ ଦୃଷ୍ଟି ଦେଲି।

କିଛି ସମୟ ପରେ ଲକ୍ଷ୍ୟ କଲି, ମଉସା କାନ୍ଦୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, "କଣ ହେଲା ମଉସା? କଣ ପାଇଁ କାନ୍ଧୁଛ?"

ସେ କହିବାକୁ ଲାଗିଲେ...

ଏଇ ମା ଭଳି ମୋର ବି ଗୋଟେ ଝିଅ ଥିଲା। ଝିଅ ନୁହେଁତ ସତେ ଯେମିତି ଗୋଟେ କଥା କୁହା କଣ୍ଢେଇ। ଏମିତି ଅବିକଳ ଢଳ ଢଳ ଆଖି, ଗୋଲ ମୁହଁ, ସରୁ ଓଠ ଆଉ ଏଇ ଝିଅ ପରି ତା ଓଠରେ ବି ଥିଲା ଗୋଟେ କଳାଯାଇ। ସେ ହସି ଦେଲେ ତା ଗାଲରେ ଖେଳି ଯାଉଥିଲା ଗୋଟେ ଛୋଟ ଭଉଁରୀ। ସେହି ଭଉଁରୀ ଭିତରେ ଘୁରି ବୁଲୁଥିଲା ମୋ ଜୀବନର ସବୁ ସୁଖ ଶାନ୍ତି। ତା କୁନି ଓଠର ହସରେ ମୁଁ ସାରା ଦିନର ପରିଶ୍ରମ ଜନିତ ଯନ୍ତ୍ରଣାକୁ ଭୁଲିଯାଉ ଥିଲି। ମୋ ଭଙ୍ଗା କୁଡ଼ିଆରେ ସେ ଥିଲା ରାଜକୁମାରୀ। ପୁଅଟିଏ ନାହିଁ ବୋଲି, ମୁଁ କେବେ ମନ ଦୁଃଖ କରି ନ ଥିଲି। ସେ ହିଁ ଥିଲା ମୋ ପୁଅ, ସେ ହିଁ ଥିଲା ମୋ ଝିଅ। 

ସମୟ ପାଣି ଭଳି ବହିଗଲା, ଆଉ ଝିଅର ବୟସ ବି। ଘର ଦୁଇ ବଖରା ଛାଡି ସବୁ ଜମିବାଡ଼ି ବିକ୍ରି କରି ବି ଯୌତୁକ ଗଣ୍ଡାକ ଯୋଗାଡ଼ କରି ପାରିଲିନି। ଏ ମହଙ୍ଗା ଯୁଗରେ ସେତକ ସମୁଦ୍ରକୁ ଶଙ୍ଖେ ଭଳି ଥିଲା। ବନ୍ଧୁବାନ୍ଧବ ଚିହ୍ନା ଜଣାରେ ଧାର ଉଧାର କରି ଝିଅ ବିଦା କଲି।

ଯୌତୁକ ପାଇଁ ଶାଶୂଘରେ ମୋ ଝିଅକୁ ବହୁତ ନିର୍ଯ୍ୟାତନା ଦେଉଥିଲେ। ଝିଅ କିଛି ନ କହିଲେ ବି ମୁଁ ସବୁ ଜାଣୁଥାଏ, ସବୁ ଶୁଣୁଥାଏ। ଏ ବର୍ଷ କୁମାର ପୂର୍ଣ୍ଣିମାକୁ ଭାର ସହ କାନଫୁଲ ହଳେ ଆଣିବାକୁ ସମୁଦୁଣୀ ଜଣାଇଲେ। ନ ହେଲେ ଝିଅକୁ ସବୁ ଦିନ ପାଇଁ ନିଜ ଘରକୁ ପଠାଇ ଦେବେ ବୋଲି ଧମକ ଦେଲେ। ମୋ ମୁଣ୍ଡରେ ବଜ୍ର ପଡିଲା। ଆମ ଭଳି ମୂଲିଆ ମଜୁରିଆ ଙ୍କୁ ଝିଅର ବାପା ହେବା ବୋଧେ କେଉଁ ଜନ୍ମର ଅଭିଶାପ ଥିଲା। ମୋ ଆଖି ଆଗରେ ନାଚୁଥିଲା ନିରାଶାର କଳା ବାଦଲ, ଆଉ ତା ଭିତରେ ଦିଶୁଥିଲା ମୋ କଣ୍ଢେଇର ଲୁହ ଭିଜା ମୁହଁ। ପ୍ରତି ମୁହୂର୍ତ୍ତରେ ମୋ କାନରେ କିଏ କହୁଥିଲା, "ବାପା ଏମାନେ ମତେ ଜୀବନରୁ ମାରିଦେବେ। ମତେ, ତମ ପାଖକୁ ନେଇ ଯାଅ।"

ଶେଷରେ ସାତ ପୁରୁଷର ଭିଟାମାଟିକୁ ବନ୍ଧା ପକାଇ ଟଙ୍କା ଯୋଗାଡ କଲି। ମୋ ଝିଅ ଶାଶୁ ଘରେ ପ୍ରଥମ ଥର କୁମାର ପୂର୍ଣ୍ଣିମାରେ ଆଞ୍ଜୁଳି ଟେକିବ। ମୁଁ ଭାର ଯୋଗାଡ଼ରେ ଲାଗି ପଡିଲି। କୁମାର ପୂର୍ଣ୍ଣିମାର ପୂର୍ବ ଦିନ, ଗାଁ ପାଖ ମିଠା ଦୋକାନୀ ସନା ସାହୁକୁ ଡାକି ଭାର ପାଇଁ ମିଠେଇ, ଜିଲାପି, ରସଗୋଲା, ଛେନା ଗଜା, ଛେନା ତାଡ଼ିଆ, ଲବଙ୍ଗଲତା, ଫେଣି, କ୍ଷୀର ଗଜା, ବହ୍ଲବ, ମାଲପୁଆ, ଆରିସା ପିଠା ଇତ୍ୟାଦି ଅନେକ ପ୍ରକାର ଜିନିଷ ପ୍ରସ୍ତୁତ କଲି। ମିଠା ସବୁର ମହମହ ବାସ୍ନା ସହିତ ମୋ ଝିଅର ଖୁସିକୁ ଅନୁଭବ କରି ମୋ ମନ ଅଜଣା ପୁଲକରେ ପୁଲକିତ ହେଉଥିଲା। ସେହି ରାତିରେ ଝିଅ ପାଇଁ ସୁନ୍ଦର କାନଫୁଲ ହଳେ କିଣିଲି। ଠିକ ଏଇ ମାର କାନଫୁଲ ଭଳି। ମୟୁର ପକ୍ଷୀ ଆକୃତିର ଫୁଲକୁ ଘୁଙ୍ଗୁର ଲଗା ପେଣ୍ଡି ବେଶ୍ ମାନୁଥାଏ। ଏ କାନଫୁଲ ହଳକ ପିନ୍ଧି ମୋ ଝିଅ ରାଜରାଣୀ ଭଳି ଦିଶିଥାନ୍ତା। କେତେ ଖୁସି ହୋଇ ଥାନ୍ତା ସେ! କିନ୍ତୁ କିଛି ହୋଇ ପାରିଲା ନାହିଁ .."।

ଉଦାସ ମନରେ ତାନିଆ ପଚାରିଲା, "କାଇଁ, କଣ ଅସୁବିଧା ହେଲା କିି?"

ମଉସା ଆଖିରୁ ଲୁହ ପୋଛି ଚାହିଁଲେ ଦୂର ଆକାଶର ଫିକା ଜହ୍ନଟା ଆଡକୁ। ତାଙ୍କ ଓଠ ଥରୁଥିଲା ଏବଂ ଆଖି କୋଣରୁ ବିନ୍ଦୁ ବିନ୍ଦୁ ହୋଇ ଲୁହ ସବୁ ଝରି ପଡୁଥିଲା। କିଛି ସମୟ ନୀରବ ରହି ସେ କହିଲେ, "ସେଦିନ ଭାର ନେଇ ଯାଉଥିବା ସମୟରେ ଭାର ଗାଡିଟି ସଡକ ଦୁର୍ଘଟଣାର ଶିକାର ହେଲା। ଭାର ସହ ମୁଁ ରାସ୍ତା କଡରେ ଛିଟିକି ପଡ଼ିଲି। ଦେହ ହାତ ସବୁ ଖଣ୍ଡିଆ ଖାବରା ହୋଇ ରକ୍ତ ଜୁଡୁବୁଡୁ। ଅସହ୍ୟ ଯନ୍ତ୍ରଣା। କେହି କୁଆଡେ ନ ଥାନ୍ତି। ଫୋନର ସୁବିଧା ବି ନ ଥିଲା। ଗାଡି ଡ୍ରାଇଭର, ଜଣଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି ହେଲେ। ସେହି ଅବସ୍ଥାରେ ଭାର ସବୁ ତଳୁ ଉଠା ଉଠି କରି ଅନ୍ୟ ଏକ ଗାଡି ବ୍ୟବସ୍ଥା କଲା ବେଳକୁ ଛାଇ ଲେଉଟା ବେଳ ହେଲାଣି। ମୋ ମନରେ ବାର ଆଡୁ ପାପ ଛୁଇଁ ଥାଏ। ମୋ ଝିଅ ସହିତ କିଛି ଅଘଟଣ ଘଟିନିତ? ଡ୍ରାଇଭରକୁ ମୁଁ ବାରମ୍ବାର କହୁଥାଏ, ଟିକେ ଅଧିକ ବେଗରେ ଗାଡି ଚଳାଇବା ପାଇଁ। ମୁଁ ମନେ ମନେ ଭାବୁଥାଏ, ଝିଅ ଟା କେତେ ବ୍ୟାକୁଳ ହୋଇ ଅପେକ୍ଷା କରିଥିବ, କେତେ ରାଗ ଅଭିମାନ କରିଥିବ। ଶାଶୂ ଘର ଲୋକଙ୍କ ନିକଟରୁ କେତେ କଟୁ କଥା ଶୁଣୁଥିବ।  
ଗାଡି ଶେଷରେ ଝିଅ ଘର ଆଗରେ ପହଞ୍ଚିଲା। ଘର ଆଗରେ ଅନେକ ଲୋକଙ୍କ ଭିଡ଼। ମତେ ଦେଖି ସମସ୍ତେ ନୀରବ ନିଶ୍ଚଳ। କାହାଠୁ କିଛି ଉତ୍ତର ମିଳୁ ନ ଥାଏ। ମୁଁ ଗହଳି ଭିତରେ ପଶି ଦେଖିଲି, ମୋ ଝିଅ କୋକେଇ ଉପରେ ଶୋଇଥିଲା ଚିର ନିଦ୍ରାରେ। ତାର ତୋଫା ଗୋରା ମୁହଁଟା ଜଳି ପୋଡି କଳା କାଠ ପଡି ଯାଇଥିଲା। ଏ ଦୃଶ୍ୟ ଦେଖି ମୋ ପାଦ ତଳୁ ମାଟି ଖସି ଗଲା। ମୋ ଦେହ ଥରି ଉଠିଲା, ମୁଣ୍ଡ ଘୁରେଇ ଦେଲା। ମୁଁ କଚାଡି ହୋଇ ପଡିଲି ତାରି କୋକେଇ ପାଖରେ। ଯେତେ ମୁଣ୍ଡ ବାଡେଇ କାନ୍ଦିଲେ, ଯେତେ ଡାକିଲେ କିଛି କହୁ ନ ଥିଲା ମୋ ଝିଅ। ଜୀବନ ସଂଗ୍ରାମ ରେ ସେ ହାରି ଯାଇଥିଲା। ଅବେଳରେ ଅଭିମାନରେ ଶୋଇ ଯାଇଥିଲା ସବୁଦିନ ପାଇଁ। ଏସବୁ ଦେଖିବା ଆଗରୁ ମୁଁ ନ ମରି କାହିଁକି ବଞ୍ଚିଥିଲି କେଜାଣି? କାନଫୁଲ ହଳକ ତାରି କୋକେଇରେ ରଖି ଫେରି ଆସିଥିଲି ଜୀଅନ୍ତା ଶବଟିଏ ହୋଇ। ଟଙ୍କା ବଳରେ ନରରାକ୍ଷସ ମାନେ ଅତି ସହଜରେ ଖସି ଯାଇଥିଲେ ଆଇନ ହାତରୁ। ସମସ୍ତେ ଜାଣିଲେ, ରୋଷେଇ କଲା ବେଳେ ଅସାବଧାନତା ପାଇଁ ନବବଧୂର ଅପମୃତୁ।"

ବାହାବେଦୀ ଉପରେ ହାତଗଣ୍ଠି ପଡୁଥିଲା ବରକନ୍ୟାଙ୍କର । ତାନିଆ ସାନ୍ତ୍ୱନା ଦେଉଥିଲା ମଉସାଙ୍କୁ। ଆଉ ମୁଁ ନୀରବରେ ଭାବୁଥିଲି,...."ଆଉ କେତେଦିନ ସ୍ବର୍ଗୀୟ ବନ୍ଧନଟିଏକୁ ସ୍ୱାର୍ଥର ତରାଜୁରେ ତଉଲୁଥିବ ଏ ସମାଜ...ଆଉ କେତେଦିନ ଝିଅଟିଏ ଜନ୍ମ କରିଛି ବୋଲି ବାପଟି ଅନ୍ୟାୟ ଆଗରେ ମୁଣ୍ଡ ନୋଉଁଥିବ...ଆଉ କେତେଦିନ ଜଳୁଥିବ ଏ ଯୌତୁକର ଜୁଇ ଆଉ ଏମିତି ଥରକୁ ଥର ପାଉଁଶ ହୋଇ ଯାଉଥିବେ ଦୁର୍ଲଭ କନ୍ୟାରତ୍ନଗଣ!!"

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post