"ବୋଉର ଲଣ୍ଠନ"
"""""""""""""""""""""""

ଘରର ଗୋଟିଏ କଣର କଣ୍ଟାରେ ଟଙ୍ଗା ହୋଇଥାଏ ଲଣ୍ଠନଟି । ଇନଭକ୍ଟର  ଚାର୍ଜିଙ୍ଗ ଲାଇଟ୍ ତଥା କରେଣ୍ଟ ବାରମ୍ବାର କଟୁ ନ ଥିବା ଯୁଗରେ ଲଣ୍ଠନକୁ କିଏ ପଚାରେ ? କିନ୍ତୁ ଏହି ଛୋଟିଆ ଲଣ୍ଠନଟି କେତେ ଜଣଙ୍କର ଉଜ୍ଜ୍ବଳ ଭବିଷ୍ୟତ ସୃଷ୍ଟି କରିବାରେ ସହାୟତା କରିଛି ତା'ତ ଭୁଲି ହେବ ନାହିଁ । ସନ୍ଧ୍ୟା ହେଲେ ଖୋଜା ଯାଏ ତାକୂ । ଲାଗେ ଯେମିତି ସେ ଥିଲେ ଘର କେବେ ଅଂଧାର ହୁଏନି। ଦିନ ରାତି ଲଣ୍ଠନଟି ଜଳୁଥାଏ ସେମିତି କାହାର ତାତ୍କାଳିକ ଲୁହରେ ଅଥବା କାହାର ପୂର୍ବାଗ୍ରହର ଆତ୍ମ ବୋଧରେ-----! ଘର ଛାଡିଥିବା ଛାଇମାନେ ସଚଳ ହୁଅନ୍ତି ତା ଆଲୁଅରେ। ଘରଟିରେ ଜରାସ୍ଥି ମାନଙ୍କ ପ୍ରଚଳତାରେ । ଭକ୍ ଭକ୍ କରେ ଲଣ୍ଠନ ଆସନ୍ନ ନିର୍ବାପନକୁ ବାରମ୍ବାର  ଜୟଲାଭ କରି। ଦେହାତି ଆଲୁଅଟିଏ । ନିକଟରୁ ଅଂଧାର ଦେଖିଛି । କଥାବାର୍ତ୍ତା କରିଛି ସାମନ୍ତ ଠାଣିରେ । ବେଳବେଳେ ନିଃଶ୍ବାସ ମାରିଛି । ଦପଦପ ଜଳୁଥିବା ଲଣ୍ଠନଟି ଯାହା ହେଉନା କାହିଁକି - ସଭ୍ଯତା ବଦଳିଲେ ବଦଳୁ , ଯୁଗ ବଦଳିଲେ ବଦଳୁ, ସମୟର ଆଇଡୋଲଜି ବଦଳୁ କିନ୍ତୁ  ସେ ବଦଳେନି । ସେମିତି ଏକ ପୂର୍ବାଗ୍ରହ କିମ୍ବା ତାତ୍କାଳିକ ମୂଲ୍ୟବୋଧର ଜଳୁଥାଏ ଚିରୁଳାଏ ଆଲୁଅ ସାଥିରେ । ତାର ସେ ପୁରୁଣା କାଚ ଆଉ ବତିକୁ ନେଇ  । 

'ଲଣ୍ଠନ' ସହିତ ସମସ୍ତଙ୍କର କିଛି ନା କିଛି ଅନୁଭୁତି ଥିବ। ଅନ୍ଧାରକୁ ଡରିବା ବେଳେ ଟିକେ ସାହସ ହେଉ ଅବା ବୋର୍ଡ଼ ପରୀକ୍ଷା ପାଇଁ ରାତି ଅଧ ଯାଏଁ ପଢ଼ିବାର ସାଥୀ ହେଉ । ସେଇ ଲଣ୍ଠନଟି ଘରେ ଦେଖିଛି ମୁଁ ପିଲାବେଳୁ । କିଏ ଆଣିଥିଲା କୋ'ଠୁ ଆଣିଥିଲା ଯଦିଓ ସେ ବିଷୟରେ ଗଭୀର ଜ୍ଞାନ ନାହିଁ ତଥାପି ବୋଉ କହେ - ମାମୁଁ ପ୍ରଥମ ଚାକିରୀର ଦରମାରେ ଗାଁ କୁ ଆସିଥିଲା । ସେତେବେଳେ ଡିବିରି ଆଲୁଅରେ ଶୋଇ ତାର ନାକ ସକାଳକୁ କଳା ହୋଇଯାଇଥିଲା ତେଣୁ ସେ କିଣି କରି ଆଣିଥିଲା । ବେଳେ ବେଳେ ଭାବିଲେ ଲାଗେ ଗରିବର ଲୁହ ଓ ଲହୁରେ ଏଡିକି ବକଟେ ସଳିତାଟା ଜଳୁଥାଏ ଲହୁକୁ ତେଲ କରି । ଏତେ ବଡ଼ ଅନ୍ଧାର ଦୁନିଆ ଚାରିଆଡେ ଭୟର ଚିହ୍ନ ଏଇ ତ ଲଣ୍ଠନ ମୁଠାଏ ସାହସ ଦିଏ ଆଗକୁ ବଢ଼ିବାକୁ । ଆମେ ଭାଇ ଭଉଣୀ ବାପାଙ୍କ ପାଖରେ ବସି ପାଠପଢୁ ଏଇ ଲଣ୍ଠନ ଆଲୁଅରେ । ଆମେ ନିଜର ଭବିଷ୍ୟତ ସୃଷ୍ଟି କରିଛୁ। ଆଉ ସେଇ ଲଣ୍ଠନ ତଳେ କେତେକଙ୍କର ଲେଖା ହୋଇଛି ଭବିଷ୍ୟତ । ଟିଖିନିଖି ହିସାବ ନିଆଯାଏ ଟୋପା ଟୋପା ତେଲର ଛାଇ ଆଲୁଅର ଦୋୖଡରେ । ମୁଣ୍ଡ ଟେକୁଥାଏ ଏକ ନୁଆ ସପନଟେ ସବୁ କିଛି ଵଦଳେଇ ଦେବାର...। 

ଭୋକର ଦାଉ କି ସହି ହୁଏ କିନ୍ତୁ ସ୍ବପ୍ନର ମୂଲ୍ୟଯେ ତା ଠୁ ଅଧିକ।ସେଥିପାଇଁ ପଢୁଥାଏ ଲଣ୍ଠନକୁ ତେଜି । ରାତି ସହ ତେଲ ବି ସରୁ ଥାଏ। ଏବେ ତାକୁ ବିରାମ ଦରକାର । ମତେ ନୁହେଁ ଲଣ୍ଠନକୁ । ପ୍ରସ୍ତୁତ ହେବାକୁ ପଡ଼ିବ ଆଉ ଏକ ରାତି ପାଇଁ । କାରଣ ତାକୁ ତ ଜଳିବାକୁ ଅଛି କେତେ ସନ୍ଧ୍ୟା ,କେତେ ରାତି, କେତେ ସ୍ବପ୍ନ ସତ ହେବା ଯାଏଁ ..... । ସମୟ ବଦଳେ ମନ ବଦଳେ ବୟସ ବଦଳେ କିନ୍ତୁ ବଦଳି ପାରିନି ସେ ଲଣ୍ଠନଟି । ତାର ସେ ମୋଟା ଫିତା ବତି, ଆଉ କାଚ ଫେର ଇତ୍ୟାଦି । ପାଠ ପଢୁଥିବା ବେଳେ ସନ୍ଧ୍ୟା ପୂର୍ବରୁ ନନା କୁହନ୍ତି - ଆରେ  ! ସେ ଲଣ୍ଠନର କାଚଟିକୁ ପାଉଁସରେ ଭଲ କରି ପୋଛି ବତି ଛିଣ୍ଡେଇ ସଫା କରି ରଖିଥାଆ  । ଯେଉଁ ଦିନ କରେଣ୍ଟ ନ ଥିବ ତାର ଆଦର ଅଧିକ । ସେ କହୁଥିବ ମୋ ପାଖକୁ ଲଣ୍ଠନଟି ଆଣିଲୁ । କିଏ କହୁଥିବ ମୋତେ ଟିକେ ଦେଖେଇ ଦେଲୁ ମୁଁ ବାହାରକୁ ଯିବି । କିଏ ତ କହୁଥିବ - ମୁଁ ପାଇଖାନା ଯିବି ଲଣ୍ଠନଟା ଦିଅ । ଲଣ୍ଠନଟିର ଦାୟିତ୍ବଧାରୀ ବୋଉ । କିଏ ନେବ... କୁଆଡେ ନେବ.... ଯିଏ ଯୁଆଡେ ନେଉନା କାହିଁକି ବୋଉକୁ ପଚାରି ନେବାକୁ ହେବ । 

ଯେତେ ବାଆ ବତାସ ଆସୁନା ଖାତିରି କରେନି ଏହି ଲଣ୍ଠନଟି । ଗୋଟେ ଦିକ୍ ଦିକ୍ ନିଆଁ କୁ ହୃଦୟରେ ସମ୍ଭାଳି ରଖିଥିବା, ଅଂଧାରର ପୃଥିବୀ କୁ ଆଇନା ଦେଖାଉ ଥିବା ଚିତ୍ରପଟ ଟି ର ନାଁ ବୋଧେ ଲଣ୍ଠନ । ଅନେକ ଘଟଣ ଅଘଟଣ ଦେଖିଥିବା, ଅନେକ ରତ୍ନାକରଙ୍କୁ ବାଲ୍ମିକୀ ହେବାର
ବାଟ ବତେଇଥିବା ଏହି ଲଣ୍ଠନ। ନୂଆ ଭୂଆଷୁଣୀ ର ଓଡଣା ତଳ ମୁହଁରେ ଚଉଠି ରାତିରେ ଧାପେ ଆଲୁଅ ଦେଇଥିବା  ନୁଆଁଣିଆ ଚାଳ ଘରେ ଲିଭି ଲିଭି ଆସୁଥିବା ଗୋଟିଏ ପୀଡାର ପୃଥିବୀ କୁ ଆଉଁଷି ଦେଉଥିବା ଧାପେ ଆଲୁଅର ନାଁ ବୋଧେ ଲଣ୍ଠନ। ରାମ ମହାନ୍ତିର ପୁଅ ଦେହର ଭୋକକୁ ବାଟ ଦେଖାଇ ଗୋଟେ ମାଂସଳ ମୀମାଂସା ଆଡକୁ ବିଶ୍ୱସ୍ତତାର ସହ ଅନ୍ଧାରରେ ଆଲୁଅ ଦେଖାଇଥିବା ଗୋଟିଏ ଆଲୋକିତ ପୀଡାର ନାଁ ବୋଧେ ଲଣ୍ଠନ । ମୁଁ ସେଇ ନିଆଁଗିଳା ପୃଥିବୀର ମଣିଷ । ଏବେ ଯିଏ ଦିନରେ ଲଣ୍ଠନ ଦେଖାଉଛି, ଆଉ.. ନିଦକରେ ଲିଭଉଛି ରାତିରେ ଲଣ୍ଠନ । ରାତିର ପାପକୁ ଦେଖୁଛି ଲଣ୍ଠନକୁ ଘୋଡିଘାଡି ଦେଇ ବିଶ୍ୱସ୍ତ ବନ୍ଧୁଟେ ପରି କଳା କଳା କମ୍ବଳ ଦେହରେ । ଲଣ୍ଠନ ଏବେ ରାଜ ସାକ୍ଷୀ, ମୁଁ ମୁଦାଲା ଠିଆହୁଏ ତା ସାମ୍ନାରେ ବେଶ୍ ଠୋସ୍ ଦମ୍ଭିଲା ପଣରେ ସାକ୍ଷୀ ଦେଲା ବେଳେ - ଗୋଟେ ମିଂଜି ମିଂଜି ଆଲୁଅ.....ମୋ ପାପକୁ ଡରାଉଥାଏ । ମୁଁ ଦୋଷୀ ଦୋଷୀ ଦିଶୁଥାଏ । ଗୋଟୋ ଫିକା ଚେହେରାରେ, ଲଣ୍ଠନ ଜଳୁଥାଏ ନିର୍ବିକାର ଭାବେ ଗୋଟେ ପୁରୁଣା ଚେହେରାରେ । ସତୀ ନାରୀର ଆଖି ଭଳି । ମୋ ପ୍ରିୟ ପୃଥିବୀର ମଧୁଶାଳାରେ  ।

ଏହି ଛୋଟିଆ ଲଣ୍ଠନଟି କେତେଜଣଙ୍କର ଜୀବନ ଜୀବିକା ସହିତ ଜଡିତ । ବୋଉର ପ୍ରିୟ ସାଥି ଏହି ଲଣ୍ଠନଟି । ଯେତେ ଆଲୁଅ ଥାଉନା କାହିଁକି ସନ୍ଧ୍ୟା ପୂର୍ବରୁ ସେଥିରେ କିରୋସିନି ଭର୍ତ୍ତି କରି ପୋଛାପୋଛି କରି ସଜାଡି ରଖିଥାଏ । ଯେମିତିକି ନବ ବଧୂ ପ୍ରତୀକ୍ଷିତ ପ୍ରେୟସ ପାଇଁ ସେମିତି ଲଣ୍ଠନଟି ରଜନୀର ଆଗମନକୁ । ଆମେ ଭାଇ ଭଉଣୀ ଏହି ଛୋଟିଆ ଲଣ୍ଠନଟିର ଅନୁଗ୍ରହରେ ଆଗକୁ ବଢିବାର ସୁଯୋଗ ପାଇଛୁ । ଚାକିରି ବାକିରୀ ଶିକ୍ଷା ଦୀକ୍ଷା ରୋଜଗାର ସଭ୍ୟତା ସଂସ୍କୃତି ପରମ୍ପରାକୁ ଆଦରେଇଛୁ  କିନ୍ତୁ ଭୁଲି ପାରିନୁ ଲଣ୍ଠନଟିକୁ । ଆଜି ଘର ଛାଡି ଯେ ଯାହାର ଜୀବନ ଜୀବିକାରେ ଲାଗି ପଡିଛୁ । ପୁନିଅ ପରବ ଶ୍ରାଦ୍ଧ ମହୋତ୍ସବରେ ଘରକୁ ଗଲେ ଦେଖୁ - ସେହି ଧାନ ଘର କଣରେ ସେମିତି ଟଙ୍ଗା ହୋଇଛି ଲଣ୍ଠନଟି । ବୋଉ ଚାଲି ଯିବାର କେତେ ବର୍ଷ ବିତିଗଲାଣି କିନ୍ତୁ ସେ କଣରେ ଥିବା ଲଣ୍ଠନଟିକୁ ଦେଖିଲେ ଲାଗେ ! ସତେକି ବୋଉ ଭବିଷ୍ୟତର ପିଢିକୁ ଆଲୋକ ଦେଖାଇବା ପାଇଁ ଲଣ୍ଠନଟି ଧରି ଛିଡା ହୋଇଛି ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post