ମୂଖାଗ୍ନିର ଇଛା 
ରଚନା : ଦେବୀ ମିଶ୍ର ।
 
ପଣ୍ଡିତ ରବି ନାରାୟଣ ନନ୍ଦ ଗାଁରେ ବୁଢା ମାଷ୍ଟ୍ରେ ହିସାବରେ ବେଶ ଜଣାଶୁଣା। ତାଙ୍କର କର୍ମକାଣ୍ଡ ରେ ପାଣ୍ଡିତ୍ୟ ପାଇଁ ସେ ପୁରା ଅଞ୍ଚଳରେ ସମ୍ମାନର ଅଧିକାରୀ। ତାପରେ ତାଙ୍କ ପୁଅ ମଧ୍ୟ ଉଚ୍ଚ ଶିକ୍ଷିତ ଓ ବ୍ୟାଙ୍କ ରେ ଜଣେ ପଦସ୍ଥ ଅଧିକାରୀ। ସେ ଚାକିରୀ କରୁଛି ବୋଲି ପ୍ରାୟ ବାହାରେ ରହେ। ବ୍ୟାଙ୍କ କାମରେ ଏତେ ବ୍ୟସ୍ତ ରହେ ଯେ ଘରକୁ ଆସିବାକୁ ସମୟ ଦେଇ ପାରେନାହିଁ।
 ପଣ୍ଡିତାଣୀଙ୍କୁ ଭାରି ଚିନ୍ତା ହଠାତ୍ ଯଦି ଉପରୁ ଡାକରା ଆସେ ପୁଅ ମୂଖାଗ୍ନି ଦେଇ ପାରିବ ତ! ଏଇ ମୂଖାଗ୍ନିର ଇଛା ତାଙ୍କୁ ବେଳେ ବେଳେ ଚିନ୍ତାଗ୍ରସ୍ତ କରିଦିଏ। ସେଥିପାଇଁ ପୁଅ ଯେତେ ରାଗିଲେ ବି ସେ ସବୁଦିନ ଫୋନ୍ କରି ଭଲ ମନ୍ଦ ପଚାରିବେ ଓ କୋଉଠି ଅଛି ବୁଝିବେ। ସବୁଦିନ ସମାନ ପ୍ରକାର ପ୍ରଶ୍ନର ସମାନ ଉତ୍ତର ଦେଇ ଦେଇ ନାରଣ ମଧ୍ଯ ବିରକ୍ତ ହେଇଯାଏ। ବୃଦ୍ଧା ମା'ର ବାତ୍ସଲ୍ୟ ପ୍ରେମ ସଂସାର ବିଷୟରେ ଆସକ୍ତ ଥିବା ଯୌବନୋଦ୍ଦିପ୍ତ ମନ କଣ ବୁଝି ପାରିବ! 
 ପୁଅ ନାରଣକୁ ଛାଡି ଦେଲେ ତାଙ୍କର ଘରେ ବି ଆଉ କେହି ନାହାନ୍ତି। ବୁଢା ମାଷ୍ଟ୍ରେ ସ୍ତ୍ରୀ ସବିତାଙ୍କୁ ଦେଖି ବେଳେବେଳେ କହନ୍ତି - ଜାଣିଛ ସବିତା ! ପୁଅ ବଡ ଚାକିରି କଲା, ଏ ଖଣ୍ଡ ମଣ୍ଡଳରେ ମୋର ଈଜ୍ଜତ ବଢେଇ ଦେଇଗଲା । କିନ୍ତୁ ମୋ ନିଜର ଟିକେ ସୁଖ ଆସିଲା ବୋଲି କାହିଁକି ମୁଁ ଅନୁଭବ କରି ପାରୁନାହିଁ। ଆମେ ତା ପାଖରେ ଯାଇ ରହି ପାରୁନୁ କି ସେ ଛୁଟି ନେଇ ମଝିରେ ମଝିରେ ଆସି ବି ପାରୁନି। ଯେତେବେଳେ ପଚାରିଲେ କଣ ନା ବ୍ୟସ୍ତ। ମୋତେ କାହିଁକି ବେଳେ ବେଳେ ଏତେଦିନ ଧରି ପରିବାର ସହ ବାହାରେ ରହିବାଟା ଭଲ ଲାଗୁନାହିଁ। ଆରେ ତୋ ପରିବାର ତ ମଝିରେ ମଝିରେ ଆମ ପାଖକୁ ଆସି ପାରିବେ। ଆମେ ସିନା ବୁଢା ହେଲୁଣି ଯେ ଯିବା ଆସିବା କରି ପାରିବୁନି। ଗାଁ ଟା କଣ ସମସ୍ତଙ୍କୁ ଏମିତି ଗନ୍ଧାଉଛି। 
 ସବିତା ବଲବଲ୍ ହେଇ ଅନାଇ କହନ୍ତି -ମୋତେ କୋଉ ଭଲ ଲାଗୁଛି କି! ମୁଁ ଗଲାଥର କେତେ ମନା କରୁଥିଲି ବୋହୂକୁ ଯିବା ପାଇଁ । ତମେ ବାପ ପୁଅ ମିଶି ମୋତେ ବୁଝାଇବାରେ ଲାଗି ପଡିଲ। 
 ବୁଢା ମାଷ୍ଟ୍ରେ ନିରାଶାରେ ହଁ! ସତ କହିଲ, କହି ଚୁପ ରହନ୍ତି। ତାପରେ ପୁଣି ଟିକେ ରହି କହନ୍ତି ବୋହୂ ପିଲାଟା ନିଜେ ନ ଚାହିଁଲେ ଆମର କଣ ରଖିବାଟା ଭଲ। ତାପରେ ନାତି ଟୋକା ର ପଢାପଢି ଅସୁବିଧା ହେବନି! ଉଭୟେ ମନକୁ ବୁଝାଇ ଦିଅନ୍ତି। 
 ସବିତା କିନ୍ତୁ ପୁଣି ଆରମ୍ଭ କରନ୍ତି - କଣ ଲାଭ କହିଲ, ଆମେ ଏଠି,ସିଏ ସେଠି। ପୁଅ ଜନ୍ମ କରି ଆମର କି ସୁଖ ଯଦି ଆମ ପାଖରେ ସେ ଟିକିଏ ଠିଆ ହେବନି। ଆମେ ଟିକେ ତା ପରିବାର ସହିତ ମିଶି ପାରିବାନି। ନାତି ସାଙ୍ଗରେ ଖେଳି ପାରିବାନି! ଏଇଟା କଣ ସଂସାର! କେତେ ନିଜକୁ ବୁଝାଇବ। ଏଇ ଥରକ ଘରକୁ ଯେବେ ଆସିବ ମୁଁ ସିଧା ସିଧା ମୁହଁରେ କହିଦେବି, ତୁ ଯୁଆଡେ ଯାଉଛୁ ଯା, ପ୍ରତି ତିନି ମାସରେ ଆମ ପାଖକୁ ଆସିବୁ ବୋଲି କଥା ଦେଇକି ଯା। ନହେଲେ ଆମ ମୁହଁରେ ମୂଖାଗ୍ନି ଦେଇ ସାରିଲେ ତୁ ତୋର ଯୋଉଠି ରହୁଛୁ ରହ। ସବିତାଙ୍କ କଥାରେ ପଣ୍ଡିତେ ଦୁଃଖୀ ହୁଅନ୍ତି। 
 ଉଭୟେ ଏମିତି ପରସ୍ପର କଥା ହେଇ ପୁଣି ଭୁଲି ଯାଆନ୍ତି। 
 ପୁଅ ଆସିଲେ ସିନା କଣ କହିବେ! 
 ହଁ ଅନେକ ଥର ଫୋନ୍ ରେ ଏ ବିଷୟରେ କଥା ହେଇଛନ୍ତି। ପୁଅ ପ୍ରତିଥର କହେ ସୁବିଧା ଦେଖି ଯିବି। 
 ସବିତା ଯଦି କୋଉଦିନ ପୁଅ ଆସୁନି ବୋଲି ଅଭିମାନ କରି ଫୋନରେ କହିବେ, ପୁଅ ନାରଣ ବୁଝେଇ କହିବ- ଜାଣିଛ ମା! ବ୍ୟାଙ୍କ ରେ କେତେ କାମ। ରାତି ନଟାରେ ଘରକୁ ଫେରିବାକୁ ପଡୁଛି। ଛୁଟି ପାଇଁ କାହାକୁ କହି ହେଉନି। କେମିତି ଯିବି! 
 ପୁଅର ଅସୁବିଧା ହେବ ଭାବି ସବିତା କିଛି କହନ୍ତି ନାହିଁ। 
 ବେଳେବେଳେ ବର୍ଷେ ବିତିଗଲା ପରେ ବି ନାରଣ ଆସେ ନାହିଁ। ଥରେ ଜଣେ ସ୍ଵକୁଟୁମ୍ବ ଭାଇ ରାଜା ଏ ବିଷୟରେ ପଚାରିଲାରୁ ନାରଣ ରାଗିକି ଉତ୍ତର ଦେଇଥିଲା- ବାପାଙ୍କ ଦେହ ଖରାପ ବେଳେ ମୁଁ କଣ ଯାଉନି! ଟିକେ ଦେହ ଖରାପ ହେଲେ ତମେ ସବୁ ସିରିୟସ୍ କହି ମୋତେ ଡାକି ଦେଉଛ । 
 - ଆମେ ନିଜ ଇଛାରେ ଡାକୁନୁ ରାଜା ଶୁଣାଇ ଦେଲା। ମୋଉସାଙ୍କୁ ମନା କରି ନପାରି ଆମେ ଡାକୁ। ଏଇଟା ଆମର ବଡପଣ ବୋଲି ଭାବ ନହେଲେ ମୋଉସାଙ୍କ ଖବର ଦେବାକୁ ବି କେହି ନଥିବେ। 
 - ତା ବୋଲି ତମେମାନେ ତ ଥରେ ବାପା ଚାଲିଯିବେ ବୋଲି କହି ଡାକି ଦେଇଥିଲ। ଏଇଟା କଣ ଠିକ୍। 
 ମୁଁ ବିକଳ ହେଇ ଆସିଲା ବେଳକୁ ବାପା ଶ୍ଵାସ ନେଉଛନ୍ତି । ମୋର ଯାହା ଛୁଟି, ଯିବା ଆସିବା ସବୁ ବେକାର ଗଲା। କେତେ ଟେନସନ ତୁ କଣ ଜାଣିଛୁ! ଜାଣିଥିଲେ ଏମିତି କୁହନ୍ତୁ ନାହିଁ। ତୁ ଯଦି ନିଜେ ଏମିତି ଚାକିରୀ ରେ ପଶିଥାନ୍ତୁ ତାହେଲେ ଜାଣିଥାନ୍ତୁ। ବାପା ମା ତ ମୋ ପାଖକୁ ଆସୁ ନାହାନ୍ତି, କେତେଥର ଯାଇ ମୁଁ ଦେଖି ପାରିବି !
 ରାଜା କୁ ଏସବୁ ଶୁଣିବାକୁ ଭଲ ଲାଗୁ ନଥିଲା । ସେ ବି ଚଢାଗଳାରେ କହିଦେଲା- ହୋଉ ମୋର ତ ସେ ଚାକିରି ନାହିଁ ମୁଁ କେମିତି ବୁଝିବି। ବର୍ଷକୁ ଚାରିଥର ଆସିବା ପାଇଁ ଯଦି ସମୟ ନାହିଁ, ତୁ ତୋ କଥା ବୁଝ। 
 କିନ୍ତୁ ମନେରଖ ଯଦି ଖାଲି ବାପାଙ୍କ ଦେହ ଖରାପ ହେଲେ କି ମଲେ ତୁ ଆସିବୁ ବୋଲି ଅନେଇ ବସିଛୁ ତାହେଲେ ଭୁଲ୍ କରୁଛୁ। 
 ବର୍ଷକୁ ତିନି ଚାରି ଥର ଆସିବା ପାଇଁ ତୋତେ ଅସୁବିଧା ହେଉଛି କହିଲେ କେହି ବିଶ୍ଵାସ କରିବେ ନାହିଁ। କଣ ଲାଭ ଏତେ ପାଠ ପଢିକି ଆଉ ବଡ ଚାକିରୀ କରି କି! 
 ବାପା ମା ଙ୍କ ବୁଢା ସମୟରେ ଯଦି ପାଖରେ ଟିକିଏ ଠିଆ ହେଇ ପାରିବୁନି- କି ଲାଭ ସେ ଚାକିରିର! 
 ତୋ ବାପା ମାଙ୍କୁ ଏଠି ଦେଖିବ କିଏ। ଆସିକି ନହେଲେ ବୃଦ୍ଧାଶ୍ରମରେ ଛାଡି ଦେଇ ଯା । ସେମାନେ ବି ବୁଝି ଯିବେ ତାଙ୍କର କେହି ନାହାନ୍ତି। 
 -ତୁ ବହୁତ କଥା କହୁଛୁ କହି ନାରଣ ରାଗରେ ଫୋନ ରଖିଦେଲା। 
 ଏମିତି କିଛି ଦିନ ନୀରବତା ଚାଲେ। ତାପରେ ପୁଣି ଯାହାକୁ ସେୟା। ଫୋନରେ ଦୁଃଖ ସୁଖ ହେଇ ମନକୁ ଖୁସି କରେଇ ନିଅନ୍ତି। ବୁଢା ମାଷ୍ଟ୍ରେ ଗାଁ ର ମୋହ ଛାଡି କୁଆଡେ ଯାଇ ପାରନ୍ତି ନାହିଁ । 
 ସମୟର ଗତି କିଏ ବା ଜାଣିଛି। କିଛି ଦିନ ଉତ୍ତାରୁ ମାଷ୍ଟ୍ରେ ଙ୍କ ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରି ଦିଆଗଲା। ଏଥରକ କିନ୍ତୁ ଭେଣ୍ଟିଲେଟର ଲାଗିଲା। କିଛି ଦିନ ପରେ ଯେତେବେଳେ ଘରକୁ ଆଣିଲେ ହଠାତ୍ ନିଶ୍ଵାସ ବନ୍ଦ ହେଇଗଲା। ସମସ୍ତେ ବ୍ୟସ୍ତ ହେଇ ପୁଅକୁ ଡକାଇଲେ ଓ ମାଷ୍ଟ୍ରେ ଙ୍କୁ ପୁଣି ନେଇ ହସ୍ପିଟାଲରେ ଭର୍ତ୍ତି କରିଦେଲେ। ଡକ୍ଟର କହିଲା ମାଇଲଡ୍ ହାର୍ଟ ଷ୍ଟ୍ରୋକ ହେଇଛି।କିଛି ଦିନ ଚିକିତ୍ସା ପରେ ଫେରି ଆସିଲେ। 
 ମାଷ୍ଟ୍ରେ ଯେତେବେଳେ ଆଖି ଖୋଲିଲେ ତାଙ୍କ ଚାରିପଟେ କେବଳ ଗାଁ ଲୋକେ ଠିଆ ହେଇଥିଲେ। ପୁଅକୁ ପାଖରେ ନଦେଖି ବହୁତ ଦୁଃଖିତ ହେଲେ। ସବିତା କହିଲେ ପୁଅ ବମ୍ବେ କଣ ଅରଜେଣ୍ଟ କାମରେ ଯାଇଛି, ଆଜି ଆସିବ ବୋଲି କହିଛି।
 ନାରଣ ଆସି ଦେଖିଲା ବାପା ଭଲ ଅଛନ୍ତି। ସମସ୍ତଙ୍କ ଉପରେ ଗୁଡାଏ ବିରକ୍ତି ହେଲା। କହିଲା -ବାପା ଯଦି ଭଲ ହେଇ ଗଲେଣି ତାଙ୍କୁ କେହି ଜଣେଇ ପାରିଲନି! ସେ କେତେ କାମ ଛାଡ଼ି ଆସିଛନ୍ତି। 
 ନାରଣ କଥାକୁ କେହି ଏତେ ଗୁରୁତ୍ବ ଦେଲେ ନାହିଁ। ମାଷ୍ଟ୍ରେଙ୍କ ଭଲ ହେବା ଖବରଟା ସବୁଆଡ଼େ ଦେଇ ଦିଆ ଯାଇଥିଲା। ମନ୍ଦିରରେ ହୋମ ସହିତ ପଂକ୍ତି ଭୋଜନର ମାନସିକ ମଧ୍ୟ କରା ହେଇଥିଲା । ଏକରକମ ଖୁସି ଓ ଉତ୍ସବର ଆୟୋଜନ ପରି ସମସ୍ତେ ଲାଗି ପଡିଥିଲେ। 
 କାରଣ ତାଙ୍କ ଭଳି ଜଣେ ଗୁଣୀ ବ୍ୟକ୍ତିଙ୍କୁ ସହଜରେ ହରେଇବାକୁ କେହି ଚାହୁଁ ନ ଥିଲେ। 
 କିନ୍ତୁ ଖୁସି ନଥିଲା ମାଷ୍ଟ୍ରେ ଙ୍କ ପୁଅ ନାରଣ। ସେ ବୁଝି ପାରୁ ନଥିଲା ଏଥିରେ ଏତେ ଆନନ୍ଦ ହେବାର କଣ ଅଛି । ପୁଣି ମାନସିକ କରି ଏତେ ଟଙ୍କା ଖର୍ଚ୍ଚ କରିବାକୁ ଏମାନଙ୍କର ମନ କେମିତି ହେଉଛି। ମଣିଷ ତ ବୟସ ହେଲେ ନିଶ୍ଚୟ ମରିବ। ତାପରେ ବାପାଙ୍କ ବୟସ ପଞ୍ଚସ୍ତରି ଟପିଲାଣି। କେତେବେଳେ କିଛି ବି ହେଇପାରେ। ସେ ବ୍ୟସ୍ତ ହେଉଥିଲା ବମ୍ବେ ଫେରିଗଲେ ତାକୁ ପୁଣି ଥରେ ଆସିବାକୁ ପଡିବ। ବାପାଙ୍କ ପାଇଁ ଯଦି ଏତେ ଥର ଆସିବାକୁ ପଡୁଛି ପୁଣି ମା ବି ଅଛି। ତା ପାଇଁ ବି ଆସିବାକୁ ପଡିବ । କେତେ ପଇସା ଖର୍ଚ୍ଚ ! ଅଦରକାରୀ ଛୁଟି ବି ନଷ୍ଟ । ୟାଠୁ ଭଲ ସମସ୍ତେ ଯଦି ମୋ ସହିତ ଆସି ରହନ୍ତେ। ଯେତେଥର କହିଲେ ବି ରାଜି ହେଉ ନାହାନ୍ତି। ସମସ୍ତେ ଖାଲି ମୋତେ ଦୋଷ ଦେଉଛନ୍ତି। ନାଇ! ଏଥରକ ଯେମିତି ହେଲେ ମାକୁ କହିବି। ମୋ ସାଙ୍ଗରେ ନ ଆସିଲେ ମୋର କିଛି ଦୋଷ ନାହିଁ ବୋଲି ଶୁଣେଇ ଦେବି। 
 ସମସ୍ତେ ଚାଲିଗଲା ପରେ ମା ପାଖକୁ ଆସି ନିଜର ଉତ୍କଣ୍ଠା ପ୍ରକାଶ କଲା, କହିଲା -”ମା! ଏଥରକୁ ମିଶେଇ ତିନି ତିନି ଥର ବାପା ମୃତ୍ୟୁ ମୁଖରୁ ଫେରି ଆସିଲେଣି। ପ୍ରତି ଥର ଖବର ପାଇ ମୁଁ ଆସୁଛି। ସବୁଥର ଖାଲି ଖାଲି ଫେରିଯାଉଛି। ମୋତେ ଲାଗୁଛି ମୋର ଆସିବାଟା ଯେମିତି ବେକାର, ବୃଥା ହେଉଛି। ଏତେଦୂରରୁ ଆସିବା ଯିବା କେତେ କଷ୍ଟକର ତାହା ତୁ ବୁଝି ପାରିବୁନି। 
 ମୁଁ ବାହାରକୁ ଗଲାବେଳେ ତୁମେ ଦୁହେଁ କାନ୍ଦିଲ ବୋଲି ତୁମ କଥାକୁ ଏଡେଇ ନ ପାରି ମଝିରେ ମଝିରେ ଆସିବି ବୋଲି ପ୍ରତିଶ୍ରୁତି ଦେଇଥିଲି। ସେଇ କ୍ଷଣିକ ଭାବାବେଗକୁ ଜାବୁଡି ଧରି ଏତେ ହିନସ୍ତା ମୁଁ ଆଉ ହୋଇପାରିବିନି। ମୋ ଦ୍ଵାରା ଏତେଥର ଆସିବା ସମ୍ଭବ ନୁହେଁ। ମୋର ପୁଣି ନିକଟରେ ବିଦେଶ ଯିବାର ଅଛି। ତେଣୁ ତମେ ଦୁହେଁ ମୋ ସାଙ୍ଗରେ ଆସ ନଚେତ ବାପାଙ୍କ ମୃତ୍ୟୁ ପରେ ମୋତେ ଖବର ଦେବ ମୁଁ ଆସି କ୍ରିୟା କର୍ମ କରି ଦେଇ ଯିବି। ମୋତେ ଆଉ ଖାଲିଟାରେ ଫେରିବାକୁ ପଡିବନି। ଏଇଟା ଶେଷଥର, ମୋତେ ଆଉ ଯେମିତି ହଇରାଣ କରିବନି । ତମେ ଦୁହେଁ ଯଦି ଯିବ କୁହ ନହେଲେ କାଲି ସକାଳୁ ମୁଁ ଚାଲିଯିବି। ଏଣିକି ମତେ ଆଉ ଭୁଲ ବୁଝିବନି। 
 ମାଷ୍ଟ୍ରେ ଖଟରେ ଶୋଇ ସବୁ ଶୁଣୁଥିଲେ, କିଛି କହିପାରିଲେନି। ତାଙ୍କ ଆଖିର ଲୁହ ଯାହା କିଛି ଇଶାରା ଦେଇଥିଲା। ସବିତାଙ୍କ ଆଖି ବି ଲୁହକୁ ଚାପି ପାରି ନ ଥିଲା।
 ସବିତା କଣ କହିବେ ବୋଲି ଭାବି ନିଜ କଳ୍ପନାରେ ଛଟପଟ ହେଉଥିଲେ।
 ମାଷ୍ଟ୍ରେ ଖଟରୁ ଉଠି ବସିଲେ। ପୁଅକୁ ଅନେଇଲେ। ସବିତା ପାଖକୁ ଆସି ଶୋଇ ରହିବା ପାଇଁ କହିଲା। ମାଷ୍ଟ୍ରେ କିନ୍ତୁ ଟିକେ ରହିବା ପାଇଁ ଇସାରା ଦେଲେ। ପୁଅ ଆଡେ ଅନେଇ କହିଲେ - ଦେଖ ବାପା, ଆମେ ଏ ଯାଗା ଛାଡ଼ି ଏତେ ଦୂର ଯାଇ ପାରିବୁନି। ଏ ମାଟି ସହିତ ଆମର ମାଆ ପରି ମମତା ଅଛି। ତୁ ଏମିତି ଚାକିରି କରିବୁ ଯେ ଆସି ପାରିବୁନି ଆମେ କେବେ ଭାବି ନଥିଲୁ। ନିଜ ଗାଁ ମାଟିକୁ ଯିଏ ଭୁଲିପାରେ ସେ ଆମକୁ ଭୁଲିବା ବି ସ୍ଵାଭାବିକ। ତୁ ଚିନ୍ତା କରନା ତୋତେ ଆମେ ଆଉ ଆସିବାକୁ ଦେବୁନି। ତୋ ପାଇଁ ଆମ ମନରେ ଯୋଉ ଗର୍ବ ଟିକେ ପଳେଇ ଆସିଥିଲା ଭଗବାନ ତାର ଶାସ୍ତି ଏବେ ଦେଉଛନ୍ତି। ତୁ ବ୍ୟସ୍ତ ହ'ନା, ତୋତେ ଆଉ କଷ୍ଟ କରିବାକୁ ପଡିବନି। ମାଷ୍ଟ୍ରେ ଙ୍କ କଥା ସରୁ ସରୁ 
 ପୁଅ ଭିତର ଘରକୁ ଚାଲିଗଲା। 
 ସବିତାଙ୍କ ମୁଣ୍ଡରେ ବଜ୍ର ପଡିଲା ଯେମିତି। ଲୁହ ଛଳ ଛଳ ଆଖିରେ ମାଷ୍ଟ୍ରେ ଙ୍କ ଅର୍ଦ୍ଧନିମୀଳିତ ବାଷ୍ପାକୁଳ ନୟନକୁ ଚାହିଁ କହିଲେ, ଏମିତି କଣ ପୁଅକୁ କହିଦେଲ -”ଶୁଣିଲ ତ ପୁଅର ନିଷ୍ପତ୍ତି? ଏବେ କୁହ କେମିତି ପୂର୍ଣ୍ଣ ହେବ ଆମର ଶେଷ ଇଚ୍ଛା।“ ଆମକୁ କଣ ସେ ମୂଖାଗ୍ନି ବି ଟିକେ ଦେବାକୁ ଆସି ପାରିବନି? 
 ତମେ କାହିଁ ବ୍ୟସ୍ତ ହେଉଛ ସବିତା। ସବୁ ପ୍ରଭୁଙ୍କ ଇଛା। ତାଙ୍କ ନିର୍ଦ୍ଦେଶ ବିନା ଯୋଉଠି ପତ୍ର ମଧ୍ୟ ହଲେ ନାହିଁ ସେଠି ଆମ ଇଛାର କି ଶକ୍ତି! 
 ତାହେଲେ କଣ -ଆମେ ଏମିତି ମରିଯିବା। ପୁଅ ହାତରୁ ଟିକେ ନିଆଁ ପାଇ ପାରିବା ନାହିଁ। 
 -ତମେ ଯଦି ଏତେ ବ୍ୟସ୍ତ ସବିତା, ବିଷ ଟିକେ ଆଣ, ପିଇ ମରିଯିବା। 

 💠════════════════════💠
 ସବିତା ଆଉ କିଛି କହିଲେ ନାହିଁ।
 ମାଷ୍ଟ୍ରେ କହିଲେ ମୋର ମଧ୍ୟ ଏଭଳି ମୃତ୍ୟୁର କୌଣସି ଲାଳସା ନାହିଁ ଯାହା ମୋ ପୁଅକୁ ନିନ୍ଦା ଦେବ ଏବଂ ଆମର କୌଣସି ମାନ ବଢାଇ ପାରିବ ନାହିଁ। 
 ତାହେଲେ କଣ କରିବା -ସବିତା ପଚାରିଲେ
 -ମୁଁ ଭାବୁଛି ଏଇଠି ବସିକି ପ୍ରଭୁଙ୍କୁ ମୃତ୍ୟୁ ପାଇଁ ପ୍ରାର୍ଥନା କରିବା। ଯଦି ଶୁଣିଲେ ପୁଅ ଆମର ମୂଖାଗ୍ନି ଦେଇ ସାରି ଫେରିଯିବ। ଯଦି ପ୍ରଭୁ ନ ଶୁଣିଲେ ସେଇଟା ତାଙ୍କ ଇଛା ଭାବି ଆମେ ଆମ ଇଛାକୁ ବିସର୍ଜନ କରିଦେବା। 
 ତମେ ଯାଇ ପୂଜା ଘରୁ ନିର୍ମାଲ୍ୟ ନେଇ ଆସ। ସେଇଟା ହାତରେ ଥିଲେ ମୃତ୍ୟୁ ସହଜ ହେଇଯିବ । ସବିତା ବାହାରି ଗଲେ ନିର୍ମାଲ୍ୟ ଆଣିବା ପାଇଁ। 
 ରାତି ପାହି ସକାଳ ହୋଇଯାଇଥିଲା। 
 ନାରଣ ଉଠୁ ଉଠୁ ଟିକେ ଡେରି ହେଇ ଯାଇଥିଲା। ତରତର ହୋଇ ସେ ବାପାଙ୍କ ରୁମ୍ ଭିତରକୁ ପଶିଗଲା । ଘରେ ଆଲୁଅ ସେମିତି ଜଳୁଥିଲା। ଯାହା ଦେଖିଲା ତା’ର ଆଶ୍ଚର୍ଯ୍ୟର ସୀମା ରହିଲାନି। ବାପା ବୋଉଙ୍କର ପ୍ରାଣହୀନ ଶରୀର ଖଟ ଉପରେ ପଡିରହିଥିଲା। ହାତ ମାରି ଦେଖିଲା ଜୀବନ ଆଉ ନାହିଁ। ତୁରନ୍ତ ଆମ୍ବୁଲାନ୍ସ ଡାକିଲା। 
 ଟେବୁଲ ଉପରେ ଗୋଟିଏ କାଗଜ ପେପର ଵେଟ ଦେଇ ରଖା ହେଇଥିବା ଦେଖି ନାରଣ କାଗଜଟି ଭିଡି ଆଣି ଖୋଲି ପଢ଼ିଲା - 
 ”ବାପାରେ ପିଲାଦିନେ ତୁ ଭଲ ପଢୁଥିଲୁ ବୋଲି ଆମ ମନରେ ବହୁତ ଗର୍ବ ଥିଲା। ଭଗବାନ ବୋଧେ ସହି ପାରିଲେନି ଗର୍ବ। ତେଣୁ ତୋତେ ସେ ଆମଠୁ ଏତେ ଦୂରକୁ ନେଇଗଲେ ଯେ ତୁ ଆଉ ଆସିବାକୁ ଇଛା କରୁନୁ। ଆମେ ଜାଣି ପାରିଲୁନି ବାପା ତୋତେ ଅଧିକା ପଢାଇବାଟା ଆମର ଭୁଲ ନା ପୁଅଠୁ କିଛି ଆଶା କରିବାଟା ଆମର ଭୁଲ୍। ଆମ ପାଇଁ ଦୁଃଖ କରିବୁନି। ଆମର ତ ବୟସ ହେଇଗଲାଣି କେତେଦିନ ବା ବଞ୍ଚିଥାନ୍ତୁ। 
 ପୁଅ ହାତରୁ ମୂଖାଗ୍ନି ଟିକେ ପାଇବାର ଇଛା ଥିଲା । ତୋ ହାତରେ ମୁଖାଗ୍ନି ନ ପାଇଲେ ଆତ୍ମା ଆମର ଶାନ୍ତି ପାଇବନି। ତୋତେ ଆଉ କଷ୍ଟ ଦେବା ପାଇଁ ଇଛା ହେଲା ନାହିଁରେ। ତୋ ବାପା ଯଥେଷ୍ଟ ଟଙ୍କା ରଖି ଯାଇଛନ୍ତି। ଖର୍ଚ୍ଚ କରିବାରେ ତୋର କିଛି ଅସୁବିଧା ହେବ ନାହିଁ । ତୋତେ ଶେଷ ଅନୁରୋଧ, ଆମର ଅନ୍ତିମ ସଂସ୍କାର କରି ଚାଲିଯିବୁ। ତୋ ଛଡା ଆମର ଆଉ କିଏ ଅଛି? ବିଦେଶ ଯିବାର ଥିଲା ପରା, ନିଶ୍ଚିନ୍ତରେ ଯିବୁ। ଆଉ ତୋର କିଛି ଆମେ ଅସୁବିଧା କରିବୁନି। 
 ତୁ ଶାନ୍ତି ରେ ରହିଲେ ଆମେ ବି ଊପରେ ଶାନ୍ତି ରେ ରହିବୁ। ଈଶ୍ୱର ତୋତେ ସର୍ବାୟୁଷ ସର୍ବଶାନ୍ତି ପ୍ରଦାନ କରନ୍ତୁ।“ .
 ନାରଣ ଆଖିର ଲୁହ ତାର ସିମା ଲଂଘନ କରି ସାରିଥାଏ। ନିଜ ଭୁଲ୍ ନିଜ ଆଖିକୁ ଏବେ ଜଳ ଜଳ ହେଇ ଦିଶୁଥାଏ। ପିଲାଦିନେ ବାପା ତାକୁ ଭାଗବତରୁ ଗୋଟିଏ ପଦ ସଦାବେଳେ କହୁଥିଲେ ।ସେହି ପଦଟି ତା କାନରେ ବାରମ୍ବାର ପିଟି ହେଉଥାଏ-
*"ବିଷୟ ଭୋଗ ସଦା ଚିନ୍ତି*
                        *ଯେ ପ୍ରାଣୀ ସ୍ଵଧର୍ମ ଛାଡନ୍ତି*
 
 *ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post