~ ଅଧୁରା ସ୍ବପ୍ନ ~

ସ୍ମୃତି ଆମ ଜୀବନ ର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତ୍ୟେକଙ୍କ ଜୀବନରେ କିଛି ଖଟା କିଛି ମିଠା ସ୍ମୃତି ନିଶ୍ଚୟ ସାଇତା ହୋଇ ରହିଥିବ । ବେଳେ ବେଳେ କିଛି ସାଇତା ସ୍ମୃତି ପାଇଁ ଜୀବନ ରେ ବହୁ ଦୁଖଦ ପରିସ୍ଥିତି ର ସାମ୍ନା ମଧ୍ୟ କରିବାକୁ ପଡେ । କିଛି ସ୍ମୃତି ଅନ୍ୟ ସହ ବାଣ୍ଟିଲେ ଆନନ୍ଦ ମିଳେ ତ ପୁଣି କିଛି ସ୍ମୃତି କୁ ସେଇ ମନ ଭିତରେ ଚାପି ଦେବାକୁ ହୁଏ ଅନେକ ବିରହ ବେଦନା ର ସହ ।

ଜୀବନର ରାସ୍ତା ଏତେ ସରଳ ହୋଇ ନ ଥାଏ। ମନର ଆଢୁଆଳରେ ଲୁଚି ରହିଥିବା ଅନେକ କୋହ.... ଆଖିର ଲୁହ ହୋଇ ବହି ଯାଉଛି । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଧୈର୍ଯ୍ୟ ଧରାଇବା ଛଡା ଆଉ ଅନ୍ୟ ଉପାୟ ନାହିଁ । 
କଳ୍ପନା,ଜଳ୍ପନା ଭିତରେ ଗୁଡେଇ, ତୁଡେଇ ହୋଇ ଅନୁଭୂତିର ବୋଝ ବୋହି ଆଗେଇ ଚାଲିଛି ସମୟର ତାଡନାକୁ ସାମ୍ନା କରି। ଦୁଃଖ ର ଅନୁଭୂତିକୁ ସୁଖର ସ୍ମୃତି ଫରୁଆରେ ବନ୍ଦି କରି ରଖିଦେଇଛି ।

ଜୀବନର ବାସ୍ତବ ପଥରେ ଚାଲୁ ଚାଲୁ ମନରେ କେତେ ଗୁଡ଼ିଏ ପ୍ରଶ୍ନ ଉଙ୍କିମାରେ । ହୃଦୟ ମଧ୍ଯରେ ଅଭିମାନ ଓ ସ୍ବାଭିମାନ ତରଙ୍ଗ ଭଳି ଖେଳେ । ଆତ୍ମୀୟ କିମ୍ବା ଅପରିଚିତ ମଣିଷର କଥା ଭାବୁ ଭାବୁ ବେଳେ ବେଳେ ହୃଦୟ ତନ୍ତ୍ରୀରେ କିଛି ଛାପ ରହିଯାଏ । ଭୁଲ୍ ଠିକ୍ ବୁଝିବା ଆଗରୁ ନିଜ ମନର ସନ୍ତୁଳନ ହରାଇ ବସିଥାଏ । ମନକୁ ସାନ୍ତ୍ବନାର ପରିଧିରେ ବାନ୍ଧି ଦେବାକୁ ବାଧ୍ୟ ହୁଏ । କେଉଁ ଆତ୍ମୀୟର ଅନୁପସ୍ଥିତି କିମ୍ବା ନିରବତା ହୃଦୟକୁ ଖୁବ୍ ଯନ୍ତ୍ରଣା ଦିଏ । ଖାଲି ଆତ୍ମୀୟତା ସ୍ନେହ ମମତା ଓ ନିଃସର୍ତ୍ତ ଭଲ ପାଇବା ହସଟିଏ ହସିଦିଏ । ଛିଦ୍ରଥିବା ଡଙ୍ଗା ରେ ବସିଲେ ମଝି ନଈ ରେ ବୁଡିଯିବାର ଆଶଙ୍କା ଥାଏ। ଡଙ୍ଗା ଯଦି ନିଜେ କହୁଛି ମୋ ଦେହରେ ଛିଦ୍ର ଅଛି । ତେବେ ନ ବସିବା ଭଲ।

କେବଳ ମୁଁ ହିଁ ଅନୁଭବ କରି ପାରେ ନାହିଁ । ଅନୁଭବି ଅନୁଭବର କଥାକୁ ବୁଝିପାରେ । କିନ୍ତୁ କାହିଁକି ? ପରିକଳ୍ପନାର ପରିସର ଭିତରେ ପ୍ରତ୍ୟାଶା କେବଳ । ଆଶା କାହିଁକି ନୁହେଁ ? ଅଭିଳାଷ କାହିଁକି ନୁହେଁ ? ଅଭିଳାଷ କଣ ଏତେ ବେଦରଦୀ । ଜହ୍ନ କଣ ଜୋଛନା ବିନା...........  । ସମୟର ସୁଅ. ନଈର ସୁଅଠାରୁ ବି ପ୍ରଖର। ସେଇ ସୁଅରେ ଭାସି ଚାଲିଛି.... 

ସୌମ୍ୟା ଆଖିକୁ ଯେତିକି ସୁନ୍ଦର ଦିଶେ ତାଠୁ ଅଧିକ ସୁନ୍ଦର ଦିଶେ ଭାବନାରେ । ସେ ମୋତେ ଭଲପାଏ କି ନା ମୁଁ ଜାଣେନା, ହେଲେ ମୁଁ ତାକୁ କିନ୍ତୁ ହୃଦୟ ଦେଇ ଭଲପାଏ । ତାକୁ ଲୁଚିଲୁଚି ଦେଖେ । ଦୂରରୁ ତା ମୁହଁ ମୋତେ ଝାପ୍ସା ଝାପ୍ସା ଦିଶେ  । ସବୁବେଳେ ମୋତେ ଦେଖାଯ଼ାଏ ତାର ସୁନ୍ଦର ଆଖି ଦୁଇଟି ଆଉ କଦବା କ୍ୱଚିତ ତାର ସୁନ୍ଦର ହସଟି। ହେଲେ କେବେ କେମିତି ସାମ୍ନାସାମ୍ନି ହେଲେ ସେ ତଳକୁ ମୁହଁପୋତି ଚାଲିଯ଼ାଏ । ମୁଁ ଭାବେ ସେ ନିଶ୍ଚୟ ମୋତେ ଟିକେ ହସିଦେଇ ଚାହିଁଥିବ ।

ତେବେ ସୌମ୍ୟାର ସାମ୍ନାରେ ଥାଇ ବି ତାକୁ ନ ଚାହିଁ ମଧ୍ୟ ଏକ ସୁଖଦ ଅନୁଭବରେ ମୋର ସାରା ଦିନର ଖୁସି ସବୁ ସ୍ୱପ୍ନମୟ ହୋଇଯ଼ାଏ  । ତାକୁ ଭଲ ପାଉଥିଲେ ବି..... ମୁଁ ଯେ ତାକୁ ଭଲପାଏ । ଏହା ସେ ଯେପରି ନ ଜାଣୁ ସେଥିପ୍ରତି  ବେଶୀ ସଞ୍ଜତ ଥାଏ  । ଯ଼ଦିଓ ଅନେକ ସମୟ ଯ଼ାଏ ଗାଁର ଶେଷ ମୁଣ୍ଡରେ ଥିବା ନଦୀର ପୋଲ ଉପରେ ତାକୁ ଅପେକ୍ଷାକରି ବସି ରହିଥାଏ । ସେ କାହାରିକୁ  ଚାହିଁବାର ପ୍ରତିଟି ଦୃଶ୍ୟରେ ଯେମିତି ମୁଁ। ଗୋଟିଏ ଅନ୍ୟମନସ୍କ ଆକର୍ଷଣ ହୋଇ ଦେଖାଯାଉଥିବି ସେଥିପାଇଁ ବେଶ୍ କିଛି ଦୂରରେ ରହିଥାଏ ।

ସେ ଆସେ...କେବେ ସାଙ୍ଗ ମାନଙ୍କ ଗହଣରେ ନଦୀକୁ ଦେହ ପଖାଳି , କେବେ ସମ୍ପର୍କୀୟ ମାନଙ୍କ ସହ । ଆଉ କେବେ ନିଜେ ଏକୁଟିଆ । ସାଥିରେ ଆଣିଥିବା କିଛି ବସ୍ତ୍ରକୁ ପୋଲ ତଳେ  ଥୋଇ ଦେହ ପଖାଳେ  ଓ ଗଲାବେଳେ ସୂର୍ଯ୍ୟଙ୍କୁ ପ୍ରଣିପାତ କରି ନିଃଶବ୍ଦରେ ଫେରିଯାଏ । ମୁଁ ସେ ପୋଲ ଉପରେ  କିଛିଦୂରରେ  ବସିଥାଏ, ଠିକ୍ ତାକୁ ଦେଖାଗଲା ପରି । ସେ ଯିବାଆସିବା ଦିଗକୁ ମୁଁ ନ ଚାହିଁଲେ ବି ସେ ଯେମିତି ଅନୁଭବ କରିପାରୁଥିବ ମୋର ଉପସ୍ଥିତି। ମୁଁ ଭାବୁଥାଏ, ସେ ନିଶ୍ଚୟ ମୋତେ ଦେଖୁଥିବ, ହୁଏତ ନିଜକୁ ନିଜେ ଟିକେ ହସିଦେଇ ଚାଲି ଯାଉଥିବ । 
ତା ସହ ପରିଚୟ ମଧ୍ୟ ବିଶେଷ ଅନ୍ତରଙ୍ଗ ନୁହେଁ । ଗାଁକୁ ଛୁଟି ଗୁଡିକରେ  ମୁଁ ଆସୁଥାଏ । ସେ ଆମ ଗାଁକୁ ତା ମାମୁଁ ଘରକୁ ଛୁଟି କାଟିବାକୁ ଆସୁଥାଏ ।
ରଞ୍ଜନଙ୍କର ସେ  ଭାଣିଜୀ । ଏଇ  ରାସ୍ତାରେ ଅଳ୍ପକିଛି ମୁହୂର୍ତ୍ତରେ ସାମ୍ନାସାମ୍ନି ହୁଏ ସୌମ୍ୟା ସହିତ । ହେଲେ କାହିଁକି କେଜାଣି, ସେହି ପ୍ରଥମ ଭେଟର ନିରବ ଆକର୍ଷଣ ମୋତେ ଏତେ ଆନ୍ଦୋଳିତ କରିଦେଇଛି । ମୁଁ ସୌମ୍ୟା କୁ ଯେତେବେଳେ ଦୂରରୁ ଦେଖେ ଲାଗେ ସେ ଯେମିତି ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ରୂପକଳ୍ପଟିଏ । ଆଭୂଷଣ ଶୂନ୍ୟ ନୀଳ ରଙ୍ଗର ପରିଧାନ ଭିତରେ ତାର ଢଳଢଳ ମୁହଁଟି, ସେଥିରେ ଉକୁଟି ଆସୁଥିବା ଚେନାଏ ହସ ମୋତେ ବ୍ୟଥିତ କରେ । ଅନ୍ତର୍ମୁଖି ଚାହାଣି ସହ ସୌମ୍ୟାର ନୀରବତାକୁ ବ୍ୟାଖ୍ୟା କରୁଥିବା ଅଳ୍ପଅଳ୍ପ କଥା, ଆଉ ଧୀର ସମ୍ଭ୍ରମ ଚାଲି ତାର ଅର୍ନ୍ତସୌନ୍ଦର୍ଯ୍ୟକୁ ଆହୁରି ଉଜ୍ଜଳ କରୁଥାଏ ।

ସେ କଣ ମୋତେ ଭଲ ପାଉଥିବ ! ଜାଣେନା....ମୋତେ ଲାଗେ ତାର ଭଲ ପାଇବା ଅପେକ୍ଷା.... ତାକୁ ଭଲ ପାଇବା ଯେମିତି ମୋ ପାଇଁ ଏକ ସର୍ବଶ୍ରେଷ୍ଠ ପ୍ରେମାନୁଭବ । ସବୁବେଳେ ଏମିତି ସୁନ୍ଦର ଦୃଶ୍ୟଟିଏ ହୋଇ ହୃଦୟର ନିଭୃତ କୋଣରେ ସେ ବୁଲୁଥାଉ ଏହା ହିଁ ମୁଁ ଚାହେଁ । 
ହେଲେ ଯେତିକି ସରିସରି ଆସୁଥାଏ ଛୁଟି, ସେତିକି ଉଦାସ ହୋଇ ଯାଉଥାଏ ମନ। ହୁଏତ ପରିଚିତ ହେବା ଆଗରୁ ପୂର୍ଣ୍ଣଚ୍ଛେଦ ପଡିଯ଼ିବ ଏ ଆବେଗରେ । ମୁଁ ଚାଲିଯ଼ିବି ମୋର ଗନ୍ତବ୍ୟ ପଥରେ.... ଆଉ ସୌମ୍ୟା ତାର ଠିକଣାକୁ ନେଇ... ବଦଳିଯିବ ଦୃଶ୍ୟପଟ୍ଟ । ଭାବନା ଭାବନାରେ ରହିଯିବ .....

 ମୁଁ ଭାବନାରେ ବୁଡି ଯାଇଥାଏ । ମୁଁ ସବୁଦିନ ସେହି ପୋଲ ଉପରେ ନ ଜାଣିଲା ପରି ପ୍ରତୀକ୍ଷୀତ । ସେଦିନ ସୌମ୍ୟାର ନଦୀକୁ ଆସିବାର ସମୟ ହୋଇ ଯାଇଥାଏ । ମୁଁ ମଧ୍ୟ ସେମିତି ରାସ୍ତାକୁ ପଛକରି ଦୂରରେ ଥିବା ପାହାଡ ଆଡେ ଉଡୁଥିବା ପକ୍ଷୀ ମାନଙ୍କୁ ଚାହିଁ ରହିଥାଏ । ଧିରେ ଧିରେ ସୌମ୍ୟା ର ନୂପୁରର ଶବ୍ଦ କାନରେ ପଡିଲା। ଜାଣିଲି ସେ ନଦୀକୁ ଆସୁଛି | ମୋ ଦେହରେ କେମିତି ଏକ ଅଦ୍ଭୁତ ଶିହରଣ ଖେଳିଯ଼ାଉଥାଏ । କିଛି ସମୟ ପରେ ନୂପୁରର ଶବ୍ଦ ଧିରେ ଧିରେ ମୋର ନିକଟତର ହେବାକୁ ଲାଗିଲା । ମୁଁ ଆତ୍ମବିଭୋର ହେବାକୁ ଲାଗିଲି, ମନରେ ଅହେତୁକ ଆଶା ଆକାଂକ୍ଷା । ସୌମ୍ୟା କ'ଣ ମୋ ଆଡକୁ ଆସୁଛି...କିନ୍ତୁ କାହିଁକି  ? ? ମୋର ଉପସ୍ଥିତି କଣ ତାକୁ କିଛି କଷ୍ଟ ଦେଲାକି  ? ? ? ସେ ମୋତେ କିଛି ଅପମାନିତ ବୋଧ କଥା କହିବ'ନି ତ.... ହୁଏତ ସେ ଆସୁଥିବା ସବୁ ସମୟରେ ମୋତେ ଦେଖୁଥିବାରୁ ନିଶ୍ଚୟ କିଛି ସନ୍ଦେହ କରୁଛି । ଯଦି ସେ ଏହାର କୈଫିୟତ ମାଗେ ମୁଁ କ'ଣ  ଉତ୍ତର ଦେବି  ? ? ? ଭାବି ହେଉଥାଏ...

ପଛକୁ ଫେରି ଚାହିଁଲା ବେଳକୁ ଛିଡା ହୋଇଥିଲା ସେ ମୋ ପଛରେ । ପ୍ରଥମ ଥର ପାଇଁ ଏତେ ନିକଟରୁ ସୌମ୍ୟାକୁ ଦେଖୁଥିଲି ମୁଁ । ମୁହଁରେ ତାର ସେଇ ଅଧାଝରା ହସ ଟିକକ ଲାଖି ରହିଥିଲା । ହାତରେ ଥିଲା ଚାରି ଚଉତା ଗୋଟିଏ କାଗଜ। ଅତି ନିମ୍ନ ସ୍ୱରରେ ସୌମ୍ୟା କହିଲା - ଏଇ କେତେଦିନ ହେବ ନଦୀକୁ ଦେହ ପଖାଳି ଆସିବା ଅବସରରେ ଆପଣଙ୍କ ସହ ଏକ ଅଦୃଶ୍ୟ ଆତ୍ମିୟତା ସୃଷ୍ଟି ହୋଇଛି ମୋ ଭିତରେ ।

ମୁଁ କାଲି ଚାଲି ଯାଉଛି । ମୋର ସମସ୍ତ କଥା ଏହି କାଗଜଟିରେ ଲେଖି ଦେଇଛି । ଯଦି ସମୟ ହୁଏ ପଢିବ ବୋଲି ଆଶା  । ପତ୍ରଟି ହାତକୁ ବଢ଼ାଇ ଚାଲି ଯାଇଥିଲା । ସୌମ୍ୟା ଚାଲିଯିବା ପରେ ପତ୍ରଟିକୁ ଖୋଲି ପଢିଲି । ସେଥିରେ ଲେଖା ଥିଲା - ତୁମେ ଭାବୁଥିବ... ମୁଁ କିଛି ଜାଣି ପାରୁ ନାହିଁ । ତୁମର ଲୁଚା ଛପା ଭଲ ପାଇବା । ମୋତେ ମୋର ଅଜାଣତର ଅଭିନୟ କରି... ତୁମେ ଏକ ତରଫା ଭଲ ପାଉଛ । ମୁଁ ସବୁ ଜାଣିଛି, ତୁମର ଆବଭାବ କୁ ଲକ୍ଷ୍ୟ କରିଛି ।  ମୁଁ ତୁମକୁ କଥା ଦେଇ ନାହିଁ... କି କୌଣସି ଉତ୍ତର  ବା ଇସାରା  । ମୁଁ ଜଣେ ହୃଦ୍ ରୋଗୀ । ମୋତେ ଭଲ ପାଇ ତୁମେ ତୁମର ଜୀବନକୁ ନଷ୍ଟ କରିବା ମୁଁ ଇଚ୍ଛା କରୁ ନାହିଁ । ମୋର ପାଞ୍ଚ ଦିନ ପରେ ଅପରେସନ ଅଛି ।

 ଯଦି ତୁମର ମୋ ପ୍ରତି ଭଲ ପାଇବା ଥିବ, ତାହାହେଲେ ମୋ ପାଇଁ ଠାକୁରଙ୍କ ଠାରେ ଦୀପଟିଏ ପ୍ରତିଦିନ ସନ୍ଧ୍ୟାରେ ଦେବ । ମୋର ବିଶ୍ୱାସ ଓ ଭଲ ପାଇବାର ସନ୍ତକ ହିସାବରେ ଏଇ ଛୋଟ ନିବେଦନଟି ତୁମେ ରକ୍ଷା କରିବ ବୋଲି ଆଶା। ମୁଁ ଛଳଛଳ ଆଖିରେ ଚାହିଁଥିଲି ତାର ସେ ନିର୍ଲିପ୍ତ ମୁହଁଟିକୁ। ମୋ ହାତରେ ପତ୍ର ମାଧ୍ୟମରେ ତାର ଜୀବନ ମୃତ୍ୟୁର ବଡ ଦାୟିତ୍ବ ମୋତେ ଦେଇ ସେ ଚାଲି  ଯ଼ାଉଥିଲା। ମୁଁ ତାର କଥାକୁ ରକ୍ଷା କରିବାକୁ ଦୃଢ଼ ପ୍ରତିଜ୍ଞ ହୋଇ ସୁସ୍ଥ ହୋଇ ଫେରିବା ବାଟକୁ ଚାହିଁ ରହିଥିଲି  ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post