~ଡାକ ବାଲା ~

ବହୁଦିନ ତଳର ଗୋଟିଏ  କାର୍ଡ ଦେଖି ଝିଅ ପଚାରିଲା  ? ଏଇଟା କ'ଣ ? ମୁଁ କହିଲି ବିଶ୍ବ ବିଦ୍ୟାଳୟରେ ପଢୁଥିବା ସମୟରେ ନନା ପଠାଇ ଥିବା ଏକ ପୋଷ୍ଟ କାର୍ଡ ଚିଠି । ଆଜି କାଲିର ଭଳି ସେତେବେଳେ ସେମିତି  କିଛି ବ୍ୟବସ୍ଥା ନ ଥିଲା । ପଢୁଥିବା ସମୟରେ ନନା ମାସକୁ ମାସ ମନିଅର୍ଡର କରନ୍ତି  । ଆଉ ସପ୍ତାହକୁ ପୋଷ୍ଟ କାର୍ଡରେ ଘରର ଭଲ ମନ୍ଦ କଥା ଲେଖି ଜଣାନ୍ତି ।

ଆଜି କାଲି ମୋବାଇଲ ଫୋନ୍ ସବୁ ମାଧ୍ୟମକୁ କାଟିଦେଲା । ଓ୍ବାଟସପ୍ ଫେସବୁକ ମେସେଞର ଇଷ୍ଟାଗାମ୍ ଇତ୍ୟାଦି ମାଧ୍ୟମରେ ଅତି ସହଜରେ ସବୁ ଜାଣି ପାରୁଛେ । ସେତେବେଳେ ସେସବୁ ନ ଥିଲା । ଦୂର ସମ୍ପର୍କକୁ  ନିକଟ କରିବାର ମାଧ୍ୟମ ଥିଲା ଚିଠି । ସେତେବେଳେ ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ ।  ସେତେବେଳେ ଡାକ ଘର ଗୁଡିକ ଦୂର ଦୂରାନ୍ତରୁ ଖବର ନେବା ଆଣିବାର ମାଧ୍ୟମ ଥାଏ । ପୋଷ୍ଟ କାର୍ଡ, ଅନ୍ତର୍ଦେଶୀୟ ପତ୍ର, ଲଫାପା ଦ୍ବାରା ମନୁଷ୍ଯ ନିଜର ମତାମତ ଭଲମନ୍ଦ ଅନ୍ୟକୁ ଜଣାଇ ପାରୁଥିଲା । 

ମନିଅର୍ଡର ଦ୍ବାରା ଟଙ୍କା ପଇସା ପଠାଇବା ସହଜ ହୋଇପାରୁ ଥିଲା । ଆଜିକାଲି ଭଳି ଗୁଗଲ୍ ପେ ଫୋନ୍ ପେ ପେଟିଅମ୍ ଇତ୍ୟାଦି ସେତେ ବେଳେ ନ ଥିଲା । ପୋଷ୍ଟ ଅଫିସ୍ ମାଧ୍ୟମରେ ସବୁ ଜାଣି ପାରୁଥିଲୁ ପଠାଇ ପାରୁଥିଲୁ। ପୋଷ୍ଟ ମାଷ୍ଟର ପୋଷ୍ଟ ପିଅନ ସେତେବେଳେ ପ୍ରଭୁ । ପୋଷ୍ଟ ପିଅନ ଯେମିତି ଅତୀତର ଗର୍ଭରେ ଲୁପ୍ତ ହୋଇ ଗଲାଣି । ସେତେବେଳେର ପୋଷ୍ଟ ପିଅନ ଭାବରେ ଖଣ୍ଡ ମଣ୍ଡଳରେ ଜଣା ଶୁଣା  ଖଣ୍ଡିସେନା । ଧଳା ଧୋତି ସାଙ୍ଗକୁ ଦେହରେ ଗଞ୍ଜି ଖଣ୍ଡେ ଏବଂ ଖୋର୍ଦ୍ଧା ନାଲି ଗାମୁଛା । ସୁନ୍ଦର ଚେହେରା । ଉପର ଓଠଟି ଜନ୍ମରୁ ଖଣ୍ଡିଆ ହୋଇ ଯାଇ ଥିବାରୁ ସମସ୍ତେ କୁହନ୍ତି ଖଣ୍ଡିସେନା । ଜ୍ଞାନ ଗାରିମା ଶିକ୍ଷା ଦିକ୍ଷାରେ କେଉଁ ଥିରେ କମ୍ ନୁହଁନ୍ତି । ସମୟ ଥିଲା ମନୁଷ୍ଯ ଜୀବନର ସବୁଠୁ ଜାଣିବାର ମାଧ୍ୟମ  ଚିଠି ପତ୍ର ।

ଯୁବା ଅବସ୍ଥାରେ ଗାଆଁରେ ଥିଲା ବେଳେ ଚାରିଟା ବାଜିଲେ ମନେ ପଡନ୍ତି ଖଣ୍ଡିସେନା ବାପା । ଓଡଗାଁ ବ୍ଲକ୍ ପୋଷ୍ଟ ଅଫିସ୍ ରୁ ଡାକ ବ୍ୟାଗ୍ ଧରି ଉଦିୟ ରନର  ତିନିଟା ବେଳକୂ ଗାଁ ପୋଷ୍ଟ ଅଫିସରେ ପହଞ୍ଚେ । କେଉଁ ଡାକ ଗିରିଡିପଲ୍ଲି ନାଉରିଆ ଦଣ୍ଡୋର ଯିବ ଅଲଗା ଅଲଗା କରି ଦିଆଯାଏ । ତାପରେ ଖଣ୍ଡିସେନା ବାପା ବାହାରି ପଡ଼ନ୍ତି ଡାକ ବାଣ୍ଟିବାକୁ । ସାଇକେଲ ଆଗରେ ଗୋଟିଏ ବାସ୍କେଟ ଥାଏ । ସେଠାରେ ଡାକ ବ୍ୟାଗ୍ ଟି ରହେ । ଆଗରେ ଚମଡା ବ୍ୟାଗ୍ ରେ ମନି ଅର୍ଡର୍ , ଟେଲିଗ୍ରାମ୍ ଓ ଇନ୍ଦିରା ବିକାଶ ପତ୍ର ତଥା ଟଙ୍କା ପଇସା ରୁହେ । ସେ ଚମଡା ବ୍ୟାଗ ରେ ତାଲା ପଡେ । ପଛ କେରିଅଲରେ କିଛି ପାର୍ସଲ ଏବଂ ବଡ ବଡ ଡାକ ଗୁଡିକ ରହେ ।

ଖଣ୍ଡିସେନାଙ୍କର ଚାରିଟା ବେଳର ସାଇକେଲ ଘଣ୍ଟି ଟିଣ୍ ଟିଣ୍ ମନରେ ଆବେଗ ଭରି ଦିଏ । ନୂତନ ଉନ୍ମାଦନା ସୃଷ୍ଟି କରେ । ସତେ କି ଲାଗେ ଦୀର୍ଘ ଦିନର କିଛି ଅବଶୋଷ ରହି ଯାଇଛି ! ଚାତକ ପକ୍ଷୀ ପରି ଚାହିଁ ରହିଥାଉ । ଯେତେବେଳେ କିଛି ଡାକ ନ ଦେଇ ଆଗକୁ ଚାଲି ଯାଆନ୍ତି । ଲାଗେ କିଛି ହଜେଇ ଦେଲି... ହରେଇ ଦେଲି । ତଥାପି ଗାଆଁ ମୁଣ୍ଡରୁ ଫେରିବା ବାଟକୁ ପ୍ରତୀକ୍ଷା କରେ । ଆସିଲେ ଜଗି ପଚାରେ ? ମୋର କଣ ଚିଠି ଆସିଥିଲା କି ? ସେ ସ୍ବଭାବ ସୁଲଭ ଢଙ୍ଗରେ କୁହନ୍ତି  - ହଁ ନାଁ ଟା କ'ଣ  ? ନାଁ ଟା କହି ସାରିବା ପରେ ସେ ବ୍ୟାଗ୍ ରୁ ଚିଠି ଗୁଡିକ କାଢି ଖୋଜନ୍ତି । ଲାଗେ ଯେମିତି ପିଣ୍ଡରେ ପ୍ରାଣ ସଞ୍ଚରିତ ହେଲା । ନୂତନତ୍ବ ଭାବ ନୂତନ ଉତ୍ସାହ ନୂତନ ଉଦ୍ଦୀପନା । ଭାବେ ବୋଧହୁଏ ଭୁଲି କରି ଚିଠି ଟା ଦେଇ ନାହାଁନ୍ତି । କିନ୍ତୁ ସେଇଟା ତାଙ୍କର ଶୈଳୀ । କିଛି ସମୟ ଖୋଜିବା ପରେ କୁହଁନ୍ତି - ନା... କିଛି ଆସିନାହିଁ । 

ଯେଉଁ ଦିନ ଚିଠି ଟିଏ ଆସେ ମନରେ ଅପୂର୍ବ ଆନନ୍ଦ ଖେଳି ଯାଏ । ସେଇ ଚିଠି ପାଇଁ କେତେ ଅପେକ୍ଷା । ଚିଠି ରେ ତ ଥାଏ  ଅକୁହା  ଆନନ୍ଦ ଅକୁହା ଭାବନା। ସରସୀ ଭାଉଜ ଦାଣ୍ଡ ଦୁଆରେ ଭଙ୍ଗା କାନ୍ଥକୁ ଆଉଜି ଚାତକ ଭଳି ଅପେକ୍ଷା କରି ବସି ଥିବେ । କାଳେ ତାଙ୍କ ନାଁରେ ଚିଠିଟି ଆସିଥିବ ? ଏଇ ଚିଠି ପାଇଁ ସେ ମୋତେ ଭାରି ଭଲ ପାଆନ୍ତି। ଡାକବାଲା ଆସି ଚାଲି ଗଲେ କି ପଚାରନ୍ତି । ଭାରି କଅଁଲେଇ କଥା ହୁଅନ୍ତି । ମୁଁ ବେଳେ ବେଳେ ମଜାରେ କୁହେ - ତୁମ ନାମ ଧରି ଡାକୁ ଥିଲେ  । ତୁମେ ନ ଥିବାରୁ ଚିଠିଟି ନ ଦେଇ ଚାଲିଗଲେ । ଭାବ ବିହ୍ୱଳ ହୋଇ କୁହନ୍ତି - ମଲା ମୋର.. ହେତ ବେଳକୁ ଏକା ଶୁକୁଟା ବୋଉ ଡାକିବାର ଥିଲା । ଚିଠି ନ ପାଇ ପୁଣି ଆସନ୍ତା କାଲି କୁ ପ୍ରତୀକ୍ଷା କରନ୍ତି ।

ଭାଉଜଙ୍କ ବାହାଘର ଗଲା ସନ ମାଘରେ ହୋଇଥିଲା । ନରିଆ ଭାଇ କୋରାପୁଟ ରେ ରହନ୍ତି । ଚାକିରୀ ରେ ବେଶୀ ଛୁଟି ମିଳେନି । ତେଣୁ ବେଶୀ ଗାଆଁକୁ ଆସି ପାରନ୍ତି ନାହିଁ । ତା'ପରେ ଦୂର ବାଟ । ସପ୍ତାହ କୁ ଖଣ୍ଡେ ଲେଖାଏଁ ଚିଠି ଦିଅନ୍ତି । ନବ ବିବାହିତା ସରସୀ ଭାଉଜ ଚିଠି ପାଇ ମନରେ ସରସତା ଭରିଯାଏ । ଭାଉଜ ବି ଚିଠି ଦିଅନ୍ତି । ଚିଠିରେ ଯେମିତି ଭାଉଜଙ୍କ ପ୍ରାଣ । କେତେ କଥା ଲେଖନ୍ତି ଗୋପନରେ । ମନ କଥା । ମାନ ଅଭିମାନ କଥା । କେତେ ବେଳେ ସ୍ବପ୍ନ ରେ ରାଇଜର ପକ୍ଷୀ କଥା ତ କେତେ ବେଳେ ଆଖିର ଲୁହରେ ମନର ହୃଦୟର ଆବେଗତା । ବେଳେ ବେଳେ ପୁରା ରାତି ବିତିଯାଏ ଚିଠି ଲେଖାରେ। କେଉଁଠୁ ଆରମ୍ଭ କରିବେ କେଉଁଠୁ ଶେଷ କରିବେ ରାତି ବିତିଯାଏ ଭାବନା ରେ । ଇଛା ହୁଏ ବହିଯାଉ ଆଖିରୁ ଲୁହ ।  ସ୍ବପ୍ନ ଉଡନ୍ତା ଖଟୁଲି ହୋଇଯାଉ । ମନ ଉଡିବୁଲେ ଆକାଶରେ, ସ୍ବପ୍ନ ରାଇଜରେ ।  ତମେ ଆସିଲେ ........।ୌ କେତେ ଅନ୍ତରର କଥା କେତେ ମନର ବେଦନା କହିବି । ମନର ସବୁ ଅକୁହା କଥାକୁ ଚିଠି ମାଧ୍ୟମରେ ଜଣାଇ ପାରନ୍ତି ନାହିଁ । ମନର ଅକୁହା ଅବ୍ୟକ୍ତ ଭାବନା କିଛି ହୃଦୟରେ ଚାପି ହୋଇ ରହିଯାଏ ।

ସେତେବେଳେ ନବ ବିବାହିତ ଯୁବକ ଯୁବତୀ ଙ୍କ ମୁକ ସାକ୍ଷୀର ଏକ ମାତ୍ର ଉତ୍ସ ରହି ଥାଏ  ଚିଠି ।  ଚିଠି ଖଣ୍ଡେ ପାଇବା ପାଇଁ ଚାତକ ପରି ଚାହିଁ ରହିଥାନ୍ତି । ସେ ଟୋକା ହେଉ କି ଟୋକୀ, ବୁଢା ହେଉ କି ବୁଢୀ । କାହାର ପୁଅ ଦୂରରୁ ବାପା ମାଆଙ୍କ ପାଖକୁ ଭଲ ମନ୍ଦ ଜଣାଏ ତ... ପ୍ରେମିକଟି ପ୍ରେମିକା ପାଖକୁ... ଅଥବା ଦୂର ବିଦେଶୀ ନବ ବିବାହିତା ପତ୍ନୀ ପାଖକୁ ନିଜ ପ୍ରେମର ପରଶ କଥା । ଏ ସବୁର ମାଧ୍ୟମ କିନ୍ତୁ ଚିଠି ।

ଯଦି ଚିଠି ଖଣ୍ଡେ ଆସିଥିବ ମନରେ ଯେଡ଼ିକି ବ୍ୟାକୁଳତା ଥିବ ? ସେହି ବ୍ୟାକୁଳତାକୁ ଆହୁରି ବହୁ ଗୁଣିତ କରିଦେବେ  ଖଣ୍ଡିସେନା । ସାଇକେଲ ଟିଣ୍ କରି ନାମ ଧରି ଡାକି ଦେବେ । ପାଖକୁ ଆସିବା ପୂର୍ବରୁ ମଝି ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠି ମଝିରେ ଚିଠିଟିକୁ ରଖି ଷ୍ଟାଇଲ୍ ରେ ପାଖକୁ ଫିଙ୍ଗି ଦେବେ । ଉଡି ଉଡି ତୁମ ଗୋଡ ପାଖରେ ପଡିଯିବ। ଏହା ତାଙ୍କର ସ୍ବତନ୍ତ୍ର ପରିଚୟ  । ଯଦି କେବେ କାହାର ମନିଅର୍ଡର ଆସିଥାଏ । ସେ ଯେତେ ଜ୍ଞାନୀ ଗୁଣୀ ହେଉନା କାହିଁକି - ଲେଖେ.... ମୁଁ ଏତିକି ଟଙ୍କା ବୁଝି ପାଇଲି । ବୋଲି କହିବାକୁ ଭୁଲନ୍ତି ନାହିଁ । ଲୋକଙ୍କର ସୁଖ ଦୁଃଖର ସାଥି ହୁଅନ୍ତି । ଅଭାବ ଅସୁବିଧାରେ ଲୋକଙ୍କୁ ସାହାଯ୍ୟ କରନ୍ତି । କାହାର ପୁଅ ଟଙ୍କା ପଠାଇ ପାରି ନାହିଁ । କାହାର ସ୍ବାମୀର ଟଙ୍କା ଆସିପାରି ନାହିଁ । ନିଜ ହାତରୁ ଦେଇ ସାହାଯ୍ୟ କରନ୍ତି । ମନିଅର୍ଡର ଆସିଲେ ସେଥିରୁ କାଟନ୍ତି । ସମସ୍ତଙ୍କର ସୁଖ ଦୁଃଖର ସାଥୀ ଖଣ୍ଡିସେନା । 

ସଂସାରି ଦଦା କାମ କରିବାକୁ ଯାଏ ଆନ୍ଧ୍ରା । ଥରେ ସଂସାରି ଦଦା ଖୁଡି ପାଖକୁ ଚିଠି ଖଣ୍ଡେ ଦେଇଛି । ଏମିତି ସମସ୍ତେ ବିଦେଶରୁ ପତ୍ନୀ ପାଖକୁ ଚିଠି ଲେଖନ୍ତି । ମୋତେ ପଢିବାକୁ ଦେଲେ - 

ହେ ପ୍ରାଣ ପ୍ରିୟେ,

ମୋର ଶୁଭେଚ୍ଛା ନେବ। ଦରମା ପାଇଲେ ମନି ଅର୍ଡର୍ କରିବି । ଖର୍ଚ୍ଚ ବାର୍ଚ୍ଚ ଅଧିକ ପଡିବାରୁ... ଏ ମାସ ଟା ହାତ ଟାଇଟ୍  । ଘର ଖବର କଣ ? ପିଲାଙ୍କ ଦେହ ପା କୁ ଧ୍ୟାନ ଦେବ । ଭାଗ୍ୟବତୀର ଏ ବର୍ଷ ଅଷ୍ଟମ ଶ୍ରେଣୀ । ଅମନ୍ ର ସ୍କୁଲ ଡ୍ରେସ୍ ନଥିଲା । ଟଙ୍କା ପାଇଲେ ଅମନ୍ ପାଇଁ ସ୍କୁଲ ଡ୍ରେସ ଟେ ବଜାରରୁ କିଣି ଦେବୁ । ବଡ଼ ପିଲା ହେଲାଣି । ସଫା ସୁତୁରା କରି ସ୍କୁଲ ଛାଡିବୁ । ପିଲାଙ୍କ ପାଠ ପଢା ଉପରେ ନଜର ରଖୁଥିବୁ । ଠିକ୍ ସମୟରେ ନରିଆ କୁ ଡାକି ଘର ଛପର କରିଦେବୁ। ବାପାଙ୍କ ଦେହ ପା ପାଇଁ ଔଷଧ ପତର ଆଣିବୁ । ବାପାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବୁ । ବୋଉକୁ କହିବୁ ପାଣି କଖାରୁ ପକେଇ ଭଲ ବଡ଼ି ପାରିବ । ବାଡିରେ ଶାଗ ଟିକେ ବୁଣିବୁ । କଖାରୁ ଦି ମନ୍ଦା ବୋଉକୁ କହି ଲଗାଇବୁ । ଘରେ ସମସ୍ତଙ୍କର ଏବଂ ନିଜର ଖିଆଲ ରଖିବୁ । ନିଜ ଦେହ ପା ପ୍ରତି ଯତ୍ନ ନେବୁ ।
ଇତି... 
ତୁମର ପ୍ରାଣ ନାଥ ।

ନରି ଗଉଡ ଭୁବନେଶ୍ବର କେଉଁ ଅଫିସ୍ ରେ ପିଅନ ଥାଏ । ରଙ୍ଗନାନୀ ପାଖକୁ ଥରେ ଚିଠି ଲେଖିଲେ । ହୁଣ୍ଡି ରଙ୍ଗନାନୀ ଶ୍ରୀ ଅକ୍ଷର ବିବର୍ଜିତା ।  ପଡିଶା ଘର ନିତିଆ ପାଖକୁ ଚିଠି ଟା ନେଇକି ଗଲା । ନିତିଆ ଚିଠି ଟା ପଢି ସୁଣେଇଲା ହୁଣ୍ଡି ରଙ୍ଗ ନାନୀକୁ। ସମସ୍ତ ଖବର  ଅନ୍ତର ଚିଠିରେ ଯାହା ଲେଖାଥିଲା ପଢିଲା । ଶେଷରେ "ମୋର ପ୍ରମୋସନ୍ ହୋଇ ପେ ବଢ଼ି ଯାଇଛି" । ହୁଣ୍ଡି ରଙ୍ଗନାନୀ କଣ ବୁଝିଲା କେଜାଣି ଚିଠି ଶୁଣି କାନ୍ଦି କାନ୍ଦି  ନୟାନ୍ତ । ସେ ନିଆଁ ଲଗା ପେଟ ବେମାରୀ ପୁଣି ବାହାରିଛି । ପୁରା ଗାଆଁ ଗୋଟାକ ବୁଝେଇ ସୁଝେଇ ପାରିଲେନି ରଙ୍ଗକୁ । ଭୋର୍ ଅନ୍ଧାରରୁ ବାହାରି ପଡ଼ିଲା ଚପଳା ବସ୍ ରେ ଭୁବନେଶ୍ୱର  । ମୁଁ ସେଦିନ ଯାଉଥାଏ ପୁରୀ । ବାଟରେ ଯେତେ ବୁଝେଇଲି - ପ୍ରମୋଶନ ହୋଇ ପେ ବଢ଼ି ଯାଇଛି ମାନେ ଚାକିରୀ ରେ ବଡ଼ ପୋଷ୍ଟ ମିଳିଛି । ଦରମା ବି ବଢ଼ିଛି । ସେତେ ବେଳେ ଯାଇ ବୁଝିଲେ । ତଥାପି ମନ ମନିଲାନି ତାଙ୍କର । କହିଲେ ବାହାରିଛି ଯେତେବେଳେ ଯାଇ ଟିକେ ଦେଖି ଆସେ । 

ସେତେବେଳେ ଚିଠିରେ ଥାଏ । ମନର ଆବେଗତା, ଭାବ ପ୍ରବଣତା, ସମ୍ମୋହନ । କେତେ ଅର୍ଦ୍ଧ ପ୍ରେମ, ଛାତି ଫଟା ବିଚ୍ଛେଦ, ଅକୁହା ଯନ୍ତ୍ରଣା, ପାଉ ପାଉ ହାରିଯିବା, ହାରୁ ହାରୂ ପାଇ ଯିବା । ସବୁ ଏହି ଚିଠି ପୃଷ୍ଠାରେ ଅକୁହା ବେଦନା ହେଇ ରହି ଯାଇଛି । କେତେ ଅଭୁଲା ମନର ଘାଆ ହୋଇ ଆଜି ବି ଜୀବିତ ଅଛି । ଏକଥା କେବଳ ଚିଠି ହିଁ କହି ପାରିବ । ଏ ଚିଠି କେତେ ଘର ଭାଙ୍ଗିଛି । କେତେ ଘର ଯୋଡ଼ିଛି । କେତେକଙ୍କୁ ଜୀବନର ସାଥୀ କରିଛି । ଆଉ କିଛିଙ୍କୁ ନୂତନ ଦିଶା ଦେଖାଇଛି  । ଏହି ସବୁ ଥିଲା ଚିଠି ର ବିବିଧତା । ସବୁ ଖବରର ଆଦାନ ପ୍ରଦାନ ହୁଏ ଏ ଡାକବାଲା ଖଣ୍ଡିସେନା । ଏହି ଚିଠି ପତ୍ର ମାଧ୍ୟମରେ ।
    
ଯେଉଁ ଦିନ ଟିକେ ଡାକ ଆସିବାରେ ଡେରି ହୁଏ । ସଂଜକୁ ଖଣ୍ଡିସେନା  ସାଇକଲ ଘଣ୍ଟି ବଜେଇ ବଜେଇ ଦେଇ ଯାଆନ୍ତି । ଗାଆଁରେ ଯେମିତି ଚହଳ ପଡି ଯାଏ ଚିଠି ନ ଆସିଲେ । ଚାକିରୀ ବାକିରୀ , କଲେଜ୍ ଆଡ଼ମିଶନ୍ । ଦେହ ପା ର ଭଲମନ୍ଦ ଖବର । ବିବାହ ପାଇଁ ପିଲାମାନଙ୍କୁ ଚାକିରୀ ରୁ ଡକେଇବା ଖବର । ଏହି ଡାକ ମାଧ୍ୟମରେ ହୋଇ ଥାଏ ସେ ସମୟରେ ।

ଆଜିର ଅତ୍ୟାଧୁନିକ ଯୁଗରେ ପୋଷ୍ଟ ଅଫିସ ଏବଂ ଚିଠି ପତ୍ର ଏକ ଅବ୍ୟବହୃତ ମାଧ୍ୟମରେ  ପରିଣତ ହୋଇଯାଇଛି ।  ଖଣ୍ଡିସେନା ଚିଠି ପତ୍ର ମାଧ୍ୟମରେ ଲୋକ ମାନଙ୍କର ସୁଖର ଦୁଃଖର ସାଥି ଥିଲେ । କାଳର କରାଳ ଗତିରେ ସେ ଆମ୍ଭମାନଙ୍କ ପାଖରେ ଆଉ ନାହାଁନ୍ତି । ତାଙ୍କର କଥା ଭାବିଲେ ଆଖିରୁ ଅଜାଣତରେ ଲୁହ ଝରିପଡେ  । ସେ ଚାଲିଯିବା ସହିତ ଲାଗେ - ଯେମିତି ଚିଠି ପତ୍ର ମଧ୍ୟ ତାଙ୍କର ସାଥିରେ ଚାଲିଗଲା । ଆମେ ଚିଠି ପତ୍ରକୁ  ଯେମିତି ଝୁରି ହେଉଛୁ । ତାଙ୍କର ସାଥିରେ ଥିବା ଖଣ୍ଡିସେନାଙ୍କୁ ମଧ୍ୟ ସେତିକି ଝୁରି ହେଉଛୁ । 

ଚିଠି ପତ୍ର ପୋଷ୍ଟ ଅଫିସ୍ ଏବେ ନାମ ମାତ୍ର ରହି ଯାଇଛି। ସମୟ କ୍ରମେ ଏହାର ବ୍ୟବହାର ସମ୍ପୂର୍ଣ ରୂପେ ଅନ୍ତଃ ହୋଇଯିବ । କାରଣ ଆଜିର  ମୋବାଇଲ୍ ଫୋନ ଯୁଗରେ ଏ ସବୁ ନିରର୍ଥକ । ସମୟ କ୍ରମେ ଏହା ଇତିହାସ ହୋଇଯିବ ।  ଇତିହାସରେ ଲେଖାଯିବ ଏକ ସମୟରେ ଚିଠି ମଣିଷ  ଭାବ ବିନିମୟର ଏକ ମାତ୍ର ଜୀବନ ସୂତ୍ର ଥିଲା । ବଞ୍ଚିବାର ରାହା ଥିଲା । ମୋବାଇଲ୍ ଫୋନ୍ ମାଧ୍ୟମରେ ସବୁ ପାଇ ପାରିଛୁ । ଚିଠି ମାଧ୍ୟମରେ ଯେଉଁ ସ୍ନେହ ଶ୍ରଦ୍ଧା ଭଲପାଇବା ଆବିଳତା ଥିଲା ତାହା ମୋବାଇଲ୍ ରେ ନାହିଁ । ସତରେ ପୁରାତନକୁ ଭୁଲି ପାରୁନାହେଁ  କି ନୂତନକୁ ଛାଡି ପାରୁନାହେଁ  ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post