​​ଜଣେ ଥିଲେ ରତ୍ନାକର
By: Sachidananda Kar


ରାମ ନାମ ସତ୍ୟ ହେ.........



ବାରମ୍ବାର ଉଚ୍ଚାରଣ ହେଉଥିଲା ଜୀବନର ଏଇ ଶେଷ ଗୀତ।



ମରଶରୀରକୁ କାନ୍ଧରେ ବୋହି ବାହକମାନେ ସ୍ବର୍ଗଧାମ ଆଡେ ଯାଉଥିଲେ।ଆଗରେ ଖଇ କଉଡି ପଡୁଥିଲା।



 ଶେଷ ଦର୍ଶନ ପାଇଁ ରାସ୍ତା କଡରେ ଅନେକ ଲୋକ ଭିଡ ଜମାଇଥିଲେ।



- ଜଣେ ରତ୍ନାକର ଥିଲେ।ଚାଲିଗଲେ।



- ଖୁବ୍ ଭଦ୍ର,ଅମାୟିକ ଥିଲେ ସେ।



- ଚମତ୍କାର ନାଟକ ଲେଖୁଥିଲେ।



- ଗଳ୍ପ, ଉପନ୍ୟାସ ଲେଖୁଥିଲେ ବି।ଗବେଷକ ଥିଲେ।



- ଜଣେ ପ୍ରବୀଣ ଶିକ୍ଷାବିତ୍ ଥିଲେ।ପତ୍ରିକା ସମ୍ପାଦନା କରିଥିଲେ।



- ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ତାଙ୍କର ସଂପର୍କ ଥିଲା।ଏକଦା ସାହିତ୍ୟ ସମାଜର ସଭାପତି ଥିଲେ ସେ।



- ବୟସ ବେଶୀ ହୋଇ ନ ଥିଲା।ଅକସ୍ମାତ ଚାଲିଗଲେ।



ଦେଖଣାହାରୀଏ କୁହାକୁହି ହେଉଥିଲେ।



ମରଶରୀରଟି ସଂପୂର୍ଣ୍ଣ ଗୋଲାପ ଓ ଗେଣ୍ଡୁରେ ଢାଙ୍କି ହୋଇ ରହିଥିଲା।ତା' ଉପରେ ସାହିତ୍ୟ ସମାଜର ପତାକା ଆବୃତ ହୋଇଥିଲା।ଆଗରେ ଜଳୁଥିଲା ଧୂପ।ସର୍ବାଙ୍ଗରେ ଅତର ସିଞ୍ଚା ହୋଇଥିଲା।ତାହା ମହମହ ବାସୁଥିଲା।



ଭାଇ,ବନ୍ଧୁ, ଆତ୍ମୀୟ ସ୍ବଜନ,ସାହିତ୍ୟ ପରିବାରର ସଦସ୍ୟ ଆଗେ ଆଗେ ଚାଲିଥିଲେ।କେତେକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।



ରାସ୍ତାର ଗୋଟିଏ ପାର୍ଶ୍ବରେ ଠିଆହୋଇ ସବୁ ଦେଖୁଥିଲି ମୁଁ।ଜଣେ ବିଶିଷ୍ଟ , ବରେଣ୍ୟ ସାହିତ୍ୟ ସାଧକ ଚାଲିଯିବା ପରି ଜଣା ପଡୁଥିଲା।



ମୃତ୍ୟୁ ତ ସେହିପରି।ମର୍ତ୍ତ୍ୟର ବିସ୍ମୟ।କାହାକୁ ବା ଛାଡେ ସେ ! ତା'ର ବେଳ ଅବେଳ ନ ଥାଏ।ଆସି ଅକସ୍ମାତ ପହଞ୍ଚିଯାଏ।ନିଜ ସାଙ୍ଗରେ ଡାକିନିଏ।



ଶୋଭାଯାତ୍ରା ସହ ମରଶରୀର ସ୍ବର୍ଗଧାମରେ ପହଞ୍ଚିଲା।ସଂସ୍କାର ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲା।



ହଠାତ୍ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଗଲା।ଅବିଶ୍ବସନୀୟ ହେଲେ ବି ଧୀରେ ଧୀରେ ତାହା ବାସ୍ତବ ରୂପ ଧାରଣ କଲା।



ରତ୍ନାକର ହଠାତ୍ ଉଠି ବସିଲେ।



- ମୁଁ ଏବେ କେଉଁଠି ! କିଏ ମତେ ଏଠିକି ଆଣିଲା ! କାହିଁକି ଆଣିଲା ! ଆରେ....,ରତ୍ନାକର କ'ଣ ମରିପାରେ ! ମୋତେ ପରା ସେକସପିଅରଙ୍କ ପରି ନାଟକ ଲେଖିବାର ଅଛି।ଫକୀରମୋହନ,ସୁରେନ୍ଦ୍ରଙ୍କ ପରି ଗଳ୍ପ, ଉପନ୍ୟାସ ଲେଖିବାର ଅଛି।ମୋତେ ଫେରିବାକୁ ଦିଅ।ମୁଁ ଏବେ ଘରକୁ ଫେରିବି।



ଖୁବ୍ ବଡ ପାଟିରେ ଚିତ୍କାର କରୁଥିଲେ ସେ।



ପ୍ରେତ ! ପ୍ରେତ ବାହାରିଛି !



ଆତ୍ମୀୟ ସ୍ବଜନମାନେ ଦୌଡା ଦୌଡି ଆରମ୍ଭ କରିଦେଲେ।ସାରା ସ୍ବର୍ଗଧାମରେ ଗୋଟିଏ କଳରୋଳ ସୃଷ୍ଟି ହୋଇଗଲା।



- ମୋତେ ସାଙ୍ଗରେ ନିଅ।ପ୍ଲିଜ୍, ରୁହ ସମସ୍ତେ ସାଙ୍ଗ ହୋଇ ଯିବା।କାହିଁକି ଦୌଡୁଛ ? କାହିଁକି ଭୟ କରୁଛ ?



ପୁଣି ଚିଲେଇ ଚିଲେଇ କହୁଥିଲେ ସେ।



ଆତ୍ମୀୟ ସ୍ବଜନମାନେ ଘରେ ପହଞ୍ଚି ସଙ୍ଗେସଙ୍ଗେ କବାଟ କିଳିଦେଲେ।ଶାନ୍ତିରେ ଦୀର୍ଘଶ୍ବାସ ଛାଡିଲେ।



କବାଟରେ ଶକ୍ତ କରାଘାତ ହେଲା। - ଆରେ....,କବାଟ ଖୋଲ।ମୋତେ ମୋ ଲେଖାଲେଖି ଟେବୁଲ୍ ପାଖକୁ ଯିବାକୁ ଦିଅ।ମୋତେ ମୋର ଶ୍ରେଷ୍ଠ ଗଳ୍ପ,ନାଟକ, ଉପନ୍ୟାସ ଲେଖିବାକୁ ଅଛି ପରା !



ମଥା ପିଟି କାନ୍ଦୁଥିଲେ ସେ।ହେଲେ କେହି ଶୁଣୁ ନ ଥିଲେ ତାଙ୍କ କଥା।



ନିଦ ଭାଙ୍ଗି ଉଠି ବସିଲି।କାହିଁକି ଏମିତି ସ୍ବପ୍ନଟିଏ ଦେଖିଲି ? ନିଜକୁ ପଚାରିଲି ମୁଁ।ପୁଣି ପଚାରିଲି - ରତ୍ନାକରମାନେ କ'ଣ ମରିପାରନ୍ତି କେବେ ?



ହାଇଟିଏ ମାରି ପୁଣି ଗଭୀର ନିଦରେ ଶୋଇପଡିଲି।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post