~ନେଳିଆ ପୋଖରୀ~

ପାତ୍ରେ ଚାଲିଯିବା ପରେ ଗାଁ ଲୋକଙ୍କର କୋକୁଆ ଭୟ । କିଏ କହିଲା ଓସ୍ତ ଗଛଟିରେ ଡାହାଣୀ ଅଛି । ତ କିଏ କହିଲା - ଜିଅନ୍ତା ଚଣ୍ଡୀ ବୁଲୁଛି । କିଏ କେତେ ପ୍ରକାରର କଥା କହିଲେ । କିନ୍ତୁ ପାତ୍ରେ କେମିତି ମୃତ୍ୟୁ ବରଣ କଲେ କାହାକୁ ଜଣା ନାହିଁ.... 

ଆମ ଗାଆଁ ର  ନେଳିଆ ପୋଖରୀ । ଗାଁ ର ସବୁ ପ୍ରବେଶ ପଥରେ  ଗୋଟିଏ ଗୋଟିଏ ପୋଖରୀ । ଯେମିତିକି ଚଣ୍ଡୀ ପୋଖରୀ, ବେଡା, ସାରୁବନ୍ଧ ଏବଂ ଗୋଡି ପୋଖରୀ । ଭିନ୍ନ ଭିନ୍ନ ପୋଖରୀର ମହତ୍ତ୍ବ ଭିନ୍ନ ଭିନ୍ନ । ଭିନ୍ନତା ମଧ୍ୟରେ ନେଳିଆ ପୋଖରୀ ଅଭିନ୍ନ ବା ସ୍ବତନ୍ତ୍ର । ଆମ ଘରର ବାଡି ପଟେ ନେଳିଆ ପୋଖରୀ । 

କାହିଁ କେଉଁ କାଳରୁ ଏ ପୋଖରୀ । ପୋଖରୀର ପୂର୍ବ ପଶ୍ଚିମ ଦୁଇ କୂଳରେ ଦୁଇଟି ପୁରୁଷ ତୋଠ । ଦକ୍ଷିଣ ଦିଗ ତୋଠଟି ସ୍ତ୍ରୀ ଲୋକଙ୍କ । ଉତ୍ତର ଦିଗ ତୋଠଟି ଧୋବା ତୋଠ । ଗାଆଁ ଗୋଟାକ ଯାକର ଲୁଗା ପଟା ପୋଢ ମଇଁଷି ଗାଧୋଇଥାନ୍ତି ଏହି ପୋଖରୀରେ । ଦଶାହ ଶୁଦ୍ଧ କାର୍ଯ୍ୟ ହୁଏ ଏହି ପୋଖରୀରେ । 

 ଖରା ଦିନ  ଦ୍ଵି ପହରରେ କୋଳାହଳ ହୋଇ ଉଠେ ପୋଖରୀ କୂଳ । ସାହିର ସ୍ତ୍ରୀ ପୁରୁଷ ବୁଢ଼ା ଛୁଆ ସମସ୍ତେ ଯେମିତି ଏକତ୍ରିତ ହୋଇ ପଡି ଥାଆନ୍ତି ଏଇ ପୋଖରୀ ଗାଧୁଆ ତୁଠ ରେ । ଆମେ ମାନେ ଛୋଟ ଥିଲା ବେଳେ ଖରାଦିନେ ଏହି ପୋଖରୀରେ ବୁଡି ରହୁ । ଗୁରୁଜନଙ୍କ ତାଗିଦ୍ । ପାଣିଟାକୁ ଘାଣ୍ଟି ଘାଣ୍ଟି..... ଅପରିଷ୍କାର କରିଦେଲେଣି ? କିଏ ଗାଧୋଇ ସୂର୍ଯ୍ୟ ଦେବତା ଆଡ଼କୁ ଜଳ ଟେକିଦିଏ ତ ..... କିଏ ଗାଧୁଆ ତୁଠରେ ଗୋଡ଼ ମାଜୁ ଥାଏ । ପିଲା ମାନେ ଅକାତ ପାଣିରେ ବୁଡୁଥାନ୍ତି । କିଏ କଥା ବାର୍ତ୍ତା ରେ ମଜ୍ଜି ଥାଏ ତ କିଏ ଦାନ୍ତ କାଠିରେ ଦାନ୍ତ ଘଷୁ ଥାଏ । ପୋଖରୀର ଆର ପାଖରେ ଏକୁଟିଆ ସ୍ଥାନରେ ବତକ ଟିଏ ପାଣିରେ ବୁଡ଼ି ଖାଦ୍ୟ ଖୋଜୁଥାଏ ।  ଅତି ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ ଏହି ପୋଖରୀରେ ।

ଗାଆଁର ମହିଳାମାନେ ଏକତ୍ରିତ ହୋଇ ଯାଆନ୍ତି ଗାଧୁଆ ତୁଠରେ । ଗାଆଁ ଯାକର ଖବର ଚର୍ଚ୍ଚା ଏଇ ଗାଧୁଆ ତୁଠରେ । କାହା ଘରେ କଣ ହେଲା । ଶାଶୁ ବୋହୂ ଙ୍କ ମନ ଫଟା ଫଟି । କିଏ କେଉଦିନ ବିଦେଶ ରୁ ଆସିବ । କାହା ପୁଅ କେତେ ଯୌତୁକ ଆଣିଲା ବାହାରେ । କାହା ପୁଅ ପାଠ ପଢି ବାକୁ ବିଦେଶ ଯିବ । କିଏ କାହା ଝିଅକୁ ନେଇ ପଳାଇ ଗଲା  । କାହାର କାହାର ସାଙ୍ଗେ ଡାରେ ନାରେ ଚାଲିଛି ଇତ୍ଯାଦି ଇତ୍ୟାଦି.... ସବୁ ଚର୍ଚ୍ଚା ଏଇ ଗାଆଁ ନେଳିଆ ପୋଖରୀ  ତୁଠରେ ହୁଏ  । ଗାଁର କିଛି ଯୁବକ ପୋଖରୀ ହୁଡାରେ ବସି ସ୍ତ୍ରୀ ଲୋକଙ୍କ ତୋଠକୁ ଏକ ଲୟରେ ଚାହିଁ ରହିଥାନ୍ତି । ଯୁବତୀଟି ବସନ ପ୍ରକ୍ଷାଳନ ହେଉ ଅଥବା ବସନ ପରିବର୍ତ୍ତନ ସମୟେ ସାମାନ୍ଯ ଉଲଗ୍ନ ଦୃଶ୍ୟ ମାନ ହୁଅନ୍ତା କି... ଉଛୁକତା... 

ଭାଲୁକୁଣି ଓଷା ରେ ଗାଆଁ ଝିଅ ମାନେ ଖୁଦୁରୁକୁଣି ଓଷା ମନାସି ପୋଖରୀ ହୁଡ଼ାରେ ବାଲୁଙ୍କା ତିଆରି କରି ପୂଜା କରନ୍ତି । ପ୍ରତି ରବିବାର ଖୁଦୁରୁ କୁଣୀ ଓଷାରେ ପୋଖରୀ କୂଳ ଗାଆଁ ଝିଅଙ୍କ ହୁଳୁହୁଳି ଓ କୋଳାହଳ ରେ ଉଛୁଳି ପଡେ । ଗାଆଁରେ ପୂଜା କରା ଯାଉଥିବା ମୂର୍ତ୍ତି ବିସର୍ଜନ ଏଇଠି ହୋଇଥାଏ । ଭାଲୁକୁଣୀ ମୂର୍ତ୍ତି, ମଙ୍ଗଳା ମୂର୍ତ୍ତି , ଗଣେଶ ମୂର୍ତି ସରସ୍ଵତୀ ମୂର୍ତ୍ତି ଇତ୍ୟାଦି ଏହି ପୋଖରୀରେ ବିସର୍ଜନ କରା ଯାଇ ଥାଏ । କାର୍ତ୍ତିକ ମାସ ଯାକ ବିଧବା ହେଉ କି ସଧବା ହେଉ.. ସ୍ତ୍ରୀ ଲୋକମାନେ ପୋଖରୀ ହୁଡା ଚଉରାରେ ପୂଜାର୍ଚ୍ଚନା କରନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଭୋରୁ ଗାଆଁର ସ୍ତ୍ରୀ ପୁରୁଷ ପିଲାମାନେ ମିଶି ଡଙ୍ଗା ଭସାନ୍ତି । ଛୋଟ ଛୋଟ ଦିପରେ , ମହମବତିର ସାଜ ସଜ୍ଜାରେ ପୋଖରୀ ଆଲୋକିତ ହୋଇଯାଏ । 

ପାତ୍ରେ ଦିନେ ସନ୍ଧ୍ୟାବେଳେ ପୋଖରୀ ପାଣି ଆସିଥିଲେ । କ'ଣ ଗୋଟିଏ ଦେଖି ଡରିଗଲେ । ଦୁଇ ଚାରିଦିନ ଜୋର ପୋଖରୀ ପାଣି ହେଲା ତା' ପରେ ସେ ଚାଲିଗଲେ । ଅବଶ୍ୟ କିଛି ଦିନ ଲୋକ ଡରି କରି ଆସିଲେ ନାହିଁ । କିନ୍ତୁ ଏବେ ସ୍ବାଭାବିକ । ଗାଆଁ ରେ କେହି ମୃତ୍ୟୁ ବରଣ କଲେ ଓଲଟା ତୁଠରେ ବୁଡ଼ ପକେଇ କ୍ରିୟା କର୍ମ ଦଶାହ ଶୁଦ୍ଧ ତୁଠ ବି କରାଯାଇ ଥାଏ ।

               
ପୋଖରୀର ପାଣି ନେଳିଆ ହେଉ ଥିବାରୁ ନେଳିଆ ପୋଖରୀ କୁହନ୍ତି। ମଝିରେ ଏକ ମେରୁଦଣ୍ଡି ଥିଲା ଯାହାକୁ ଗରୁଡ ଖୁମ୍ବ କୁହାଯାଏ । ବିରାଟ କାଠରେ ତିଆରି ଏହି ମେରୁ ଦଣ୍ଡି ଅଧାରୁ ଭାଙ୍ଗି ଯାଇଅଛି। ବର୍ଷା ଦିନେ ପୋଖରୀ ପାଣିରେ ଭରି ରୁହେ । ସେତେବେଳେ ଏହି ମେରୁଦଣ୍ଡିଟି ଦେଖାଯାଏ ନାହିଁ । ଅକାତ କାତ ପାଣି । ଡର ଲାଗେ । ଗାଆଁ ର ବଡ଼ ମାନେ ସତର୍କ କରନ୍ତି ଅମାନିଆ ଚଗଲା ପିଲା ମାନଙ୍କୁ । ଖରା ଦିନେ ପୋଖରୀ ରେ ପାଣି କମ୍ ରୁହେ । ମେରୁଦଣ୍ଡି ଦେଖାଯାଏ । ଆମେ ପିଲାଦିନେ ଓସ୍ତ ଗଛର ଓହଳରେ ପାଣିକୁ ଡେଉଁ। କୁଳରୁ ପାଣିକୁ ଡେଇଁ  ପହଁରି ପହଁରି ମେରୁ ଦଣ୍ଡି ପର୍ଯ୍ୟନ୍ତ  ଯାଉ । ଖୁବ୍ ଉଦଣ୍ଡ କରୁ ପାଣିରେ । କାହାରି କଥା ମାନିବା ର ନାହିଁ । କିନ୍ତୁ କକେଇ ଭାରି ରାଗି ଲୋକ।  ମାରି ପକାଇବେ ସେ ଆସିଲେ ସଙ୍ଗେ ସଙ୍ଗେ ପାଣିରୁ ବାହାରି ଆସୁ । ବେଳେ ବେଳେ ବୋଉ ବାଡ଼ି ଧରି ପୋଖରୀ ପର୍ଯ୍ୟନ୍ତ  ଯାଏ ପଣିଆରେ ଡ଼ିଆଁ ବୁଡ଼ା କୁଦା ଦେଖି ବାଡେଇ ଘରକୁ ଆଣେ ।

ନେଳିଆ ପୋଖରୀ ଆମର ଚିର ସହଚର । ବର୍ଷରେ ଥରେ ଗାଆଁ ବାଲା ମିଶି ଖରାଦିନେ ମାଛ ଧରନ୍ତି । ଗାଆଁ ପୋଖରୀ ମାଛ ଭାରି ସୁଆଦିଆ ବୋଲି ସମସ୍ତେ ଗାଆଁ ଲୋକେ କୁହନ୍ତି ।  

ଆଜି ସେ ପୋଖରୀ ଶାନ୍ତ । ପୋଖରୀ ଗାଧୁଆ ଆଉ ଆଗ ଭଳି ନାହିଁ । ପୋଖରୀରେ ଅନା ବନା ଲତାରେ ଭର୍ତ୍ତି । ସଦାସର୍ବଦା ନେଳି ସର ପଡି ରହୁଛି ପୋଖରୀରେ । ଲୋକଙ୍କର ସେ ପୋଖରୀ ପ୍ରତି ଆକର୍ଷଣ ନାହିଁ । ନା ପୋଖରୀରେ ଗାଧୁଆ ପରେ ସୂର୍ଯ୍ୟ ତର୍ପଣ ? । ଅଲୋଡା ଅବହେଳିତ ଆଜି ଗାଆଁ ନେଳିଆ ପୋଖରୀ  । ଯେଉଁଠି ଶୈଶବର ଲୀଳା ଖେଳା । ଗାଁ ସାଙ୍ଗ ମାନଙ୍କ ସହିତ ପୋଖରୀ ହୁଡାରେ ଗୁଲି ଦଣ୍ଡି , କବାଡି ଖେଳିଛି ପିଲାବେଳେ, ଓଃ ଏବେବି ଜଳ ଜଳ, ଛଳ ଛଳ । ଗାଁ ର ଏବେ ବି କିଛି ସାଙ୍ଗ ସେମିତି ରହୁଛନ୍ତି । ମାଟି ସହ ଲଢୁଛନ୍ତି । ଜୀବନ ଜିଉଁଛି ସେମାନଙ୍କର ସେମିତି । ବିକାଶ ତାଙ୍କର ପାଇଁ ଏବେ ବି ନିରୁଦ୍ଦିଷ୍ଟ ! 
କିନ୍ତୁ ଓଠର ହସ ସେମତି ଜୀବନ୍ତ । ସେ ପିଲାବେଳୁ ଆଜି ଯାଏଁ । ସେଇ ନିର୍ଭେଯାଲ ଓ ନିର୍ମଳ ହସ ସେ ।

ପିଲାବେଳେ ଆତ୍ମ ବିଭୋର ହୋଇ ସାଙ୍ଗ ମାନଙ୍କ ସହିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ରଥଯାତ୍ରା ମଜ୍ଜାରେ  ବିତାଉ । ଭାରି ଭଲ ଲାଗେ । ଦୋକାନ ବଜାର । ବେଲୁନ ଖେଳନା ସେତେବେଳେ ଆମକୁ ଅତି ବେଶୀରେ ଦୁଇ ଟଙ୍କା ମିଳୁଥିଲା ଖର୍ଚ୍ଚ କରିବାକୁ । ବୋଉ ଯାହା ଆଉ ଏକ ଟଙ୍କା ଦେଇ ଥାଆନ୍ତି । ଯେତେ ଖର୍ଚ୍ଚ କଲେବି ସରେନି ପଇସା । ଘରେ ଖିଆ ପିଆ ଭୁଲି ଯାଉ । ଉନ୍ମାଦ ହୋଇ ଯାଉ ସେଇ କେତେ ଦିନ । ସେସବୁ ଏବେ ଇତିହାସ । ପ୍ରକୃତି କୋଳରେ ବସି ଆସିଥିବା ଏକ ଗ୍ରାମ ଓ ଗ୍ରାମ୍ୟ ଜୀବନ ଅତି ସରଳ ନିରାଡମ୍ବର । ଜୀବନ ସହିତ ଜଡ଼ିତ ପ୍ରାକୃତିକ ସର୍ବ ସମାବେଶ ଏହି ପଲ୍ଲୀ ଜୀବନ ରୁ ହିଁ ମିଳି ଥାଏ । ଆଜି କଂକ୍ରିଟ ରାସ୍ତା ରେ ଚାଲିବାକୁ ପଡ଼ିଥିଲେ ବି ଗାଆଁ ର ସେଇ କୋମଳ ରାସ୍ତା କୁ ଭୁଲି ପାରୁନା । ସେଥିରେ ଆନ୍ତରିକତା ଥାଏ । ସ୍ନେହ ପ୍ରେମ ଶ୍ରଦ୍ଧା ଥାଏ । ନନା ବୋଉ ତାଗିଦ ଥାଏ  । ଗୁରୁଜନଙ୍କୁ ଭକ୍ତି ଭୟ  ଥାଏ । ଗୁରୁଜନଙ୍କର ଆମପ୍ରତି ସ୍ନେହ ଶ୍ରଦ୍ଧା ଶୁଭେଚ୍ଛା ଭଲପାଇବା ଥାଏ  । ସେସବୁ ଏବେ ଦୂରେଇ ଦୂରେଇ ଯାଇଛି । 

ଆଜି ଆଉ ସେ କଚ୍ଚା ସଡ଼କ ନାହିଁ । ପକ୍କା ହେଇ ଗଲାଣି । ଆମ ଗାଁର   ଭୌଗଳିକ ସ୍ଥିତି ବଦଳି ଗଲାଣି । ସେ ନେଳିଆ ପୋଖରୀ ଅଛି ହେଲେ ସେ ଆତ୍ମୀୟତା ଆଉ ନାହିଁ । ଲୋକ ଘରେ ଘରେ ପାଇଖାନା ଗାଧୁଆ ଘର କୂଅ ବୋରିଙ୍ଗ୍ କଲେଣି । ନେଳିଆ ପୋଖରୀକୁ ଆଉ ଏତେ ଲୋକ ଯାଉ ନାହାଁନ୍ତି । ଅବହେଳିତ ନେଳିଆ ପୋଖରୀ । ସେ ସମୟ ସେ ଲୋକ ସେ ଆତ୍ମିୟତା ନାହିଁ । ମାେ ଗାଆଁ ଅଛି ମାେ ମାଟି ଅଛି।

ଆଜି ଆଉ ସେ ସମୟ ନାହିଁ । ସେ ଲୋକ ନାହାଁନ୍ତି  । ସେ ପିଲା ଦିନ ନାହିଁ । ଆଜି ଏ ଚାଳିଶ  ବର୍ଷ ଭିତରେ ଏକ ଅଦ୍ଭୁତ ପରିବର୍ତ୍ତନ । ଗାଆଁ ଆଉ ଗାଆଁ ହେଇ ନାହିଁ । ଲୋକଙ୍କ ଭିତରେ ଏକଜୁଟ ନାହିଁ । ସାର୍ବଜନିକ ଭାବରେ କୌଣସି ପୂଜା ପାର୍ବଣ ହେବା କଷ୍ଟକର ହୋଇ ପଡୁଛି । ରାଜନୈତିକ ବିଭାଜନରେ ଲୋକେ ନିଜ ଭିତରେ ଶତ୍ରୁତା ହିଁ ହେଉଛି ।
ଗ୍ରାମ ଜୀବନ ଧୀରେ ଧୀରେ ଆଧୁନିକ ଯୁଗ କ୍ରମରେ ବଢ଼ି ଚାଲିଛି । ପାଠ ପଢା ବାବୁ ମାନେ ସହର ରେ ଘର କରି ରହିବାକୁ ପସନ୍ଦ କଲେଣି । କେତେକ ଜାଗାରେ ପିତା ମାତା ଯିବା ପରେ ପୁଅ ଘରକୁ ନ ଫେରିବାରୁ ପରିତ୍ୟକ୍ତ ଘର ଭଗ୍ନ ସ୍ତୁପରେ ପରିଣତ ହେବାକୁ ବସିଲାଣି । ତଥାପି ଗାଆଁ ଆଜି ବି ତା ଜୀବନ ଶୈଳୀର ଆତ୍ମ ସନ୍ତୋଷ ରେ ଜୀବିତ ଅଛି  । ନେଳିଆ ପୋଖରୀ ଯେତେ ଅବହେଳିତ ହେଲେ ମଧ୍ୟ ତାର ନୈତିକତା ହରାଇ ନାହିଁ  । ସେ ସେହି ସ୍ନେହ ଶ୍ରଦ୍ଧା ପ୍ରେମରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି....

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post